ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓୟୁଏଟି ଓ ମେଡିକାଲ କଲେଜରେ ସିଟ୍ ଦେବା ନାଁରେ ଠକେଇ କରିଥିବା ସୁମିତ କୁମାର ବିଶ୍ୱାଳଙ୍କ ପେଡି ଖୋଲିବାରେ ଲାଗିଛି। ଲିଙ୍ଗରାଜ ଥାନା ପୁଲିସ୍ ହାତରେ ଦିନକୁ ଦିନ ବିସ୍ଫୋରକ ତଥ୍ୟ ଲାଗୁଛି । ପୁଲିସ୍ ଜାଣିବାକୁ ପାଇଛି ସୁମିତଙ୍କର ଅନ୍ୟ ଜଣେ ପ୍ରେମିକା ପଶ୍ଚିମବଙ୍ଗର କୁମାରୀ କୋମଲ୍ ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ହେଲେ ପୁଲିସ୍ ସେ ଦିଗରେ ତଦନ୍ତ ନ କରି ଘଟଣାକୁ ଏଡାଇ ଚାଲିଛି । ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, କୋମଲ୍ ପଶ୍ଚିମବଙ୍ଗରୁ ଆସି ବାପୁଜୀ ନଗରରେ ଥିବା ଏକ ବାର୍ରେ ଡ୍ୟାନ୍ସ କରୁଥିଲେ । ସେଠାରେ ସୁମିତ ତାଙ୍କୁ ଦେଖିବା ପରେ ପ୍ରେମ ନିବେଦନ କରିଥିଲେ । ଏଥିରେ କୋମଲ ରାଜି ହୋଇଥିଲେ । ୨୦୨୦ରେ ପଟିଆ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜରେ ସିଟ୍ ଦେବାକୁ କହି ଜଣଙ୍କ ଠାରୁ ୩୩ ଲକ୍ଷ ଏବଂ ଅନ୍ୟ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଆଣିଥିଲେ ସୁମିତ । ଉକ୍ତ ଟଙ୍କାରୁ ୪୦ ଲକ୍ଷ ଟଙ୍କା ସେ କୋମଲ୍ଙ୍କୁ ଦେଇଥିଲେ ରଖିବା ପାଇଁ । ହେଲେ ଯେତେବେଳେ ପୁଲିସ୍ ସୁମିତକୁଙ୍କୁ ଖୋଜିଥିଲେ ସେତେବେଳେ ଉକ୍ତ ଟଙ୍କା ନେଇ ଫେରାର ହୋଇଯାଇଥିଲେ କୋମଲ୍। ଏ ବିଷୟରେ ପୁଲିସ୍ ପାଖରେ ଖବର ଅଛି । ହେଲେ ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ କ’ଣ ପାଇଁ କରୁ ନାହିଁ ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ସେପଟେ ଗତ ୨୦୧୭ରେ ସୁମିତ ବ୍ରହ୍ମେଶ୍ୱରପାଟଣାର ଜଣେ ବ୍ୟକ୍ତିଙ୍କ ପୁଅଙ୍କୁ ମେଡିକାଲ୍ ସିଟ୍ ଦେବାକୁ କହି ୧୭ ଲକ୍ଷ ଟଙ୍କା ଆଣିଥିଲେ । ହେଲେ ସିଟ୍ ଦେଇ ପାରିନଥିଲେ । ଏନେଇ ସେମାନେ ସୁମିତଙ୍କୁ ଯୋଗାଯୋଗ କରିବାକୁ ଟଙ୍କା ଫେରସ୍ଥ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଟଙ୍କା ଫେରାଇ ପାରି ନଥିଲେ। ୧୭ ଲକ୍ଷ ଟଙ୍କା ଦେଇଥିବା ବ୍ୟକ୍ତି ଜାଣିବାକୁ ପାଇଥିଲେ ସିଟ୍ ପାଇଁ ସୁମିତ ନେଇଥବା ଟଙ୍କାରେ ଭର୍ନା କାର୍ କିଣିଛନ୍ତି । ସେ ବ୍ୟକ୍ତି ସୁମିତ ବିରୋଧରେ ଏତଲା ଦେବାକୁ ଯାଇଥିଲେ । ସେତେବେଳେ ପୁଲିସ୍ ତାଙ୍କୁ କହିଥିଲା, ମାମଲା ରୁଜୁ ହେଲେ ଟଙ୍କା ଫେରିବ ନାହିଁ । ବ୍ୟକ୍ତି ଜଣଙ୍କ କାନମୁଣ୍ଡ ଆଉଁସି ଘରକୁ ଫେରିଥିଲେ । ତେବେ ସୁମିତଙ୍କୁ ପାନେ ଦେବାକୁ ସେ ଯୋଜନା କରି ସୁମିତଙ୍କୁ ଭେଟିବା ପାଇଁ ଡାକିଥିଲେ । ସୁମିତ କାର୍ ନେଇ ବ୍ରହ୍ମେଶ୍ୱରପାଟଣାରେ ପହଞ୍ଚିଥିଲେ । ଉକ୍ତ କାର୍କୁ ପେଟ୍ରୋଲ୍ ଢାଳି ନିଆଁ ଲାଗାଇ ଦେଇଥିଲେ । ଦମକଳ ପହଞ୍ଚିଲା ବେଳକୁ କାର୍ଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ହେଲେ ସୁମିତ ଏନେଇ ଥାନାରେ ଏତଲା ଦେଇ ନଥିଲେ ।