ସୋର, (ବାଘୁଆବାର୍ତ୍ତା): ସ୍ୱାମୀସ୍ତ୍ରୀଙ୍କ ଝଗଡ଼ା ନେଲା ଉଗ୍ରରୂପ। ଅତିଷ୍ଠ ହୋଇ ସ୍ତ୍ରୀ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ବିଦ୍ୟୁତ ତାରକୁ ଧରି ଆତ୍ମହତ୍ୟା ଉଦ୍ୟମ କରିଛି।। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ରଇଁତରା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପୂଜା ଜେନା। ତାଙ୍କ ସ୍ୱାମୀ କୈଳାସ ଜେନାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାସେ ତଳେ କୈଳାସ ସୋର ଅଞ୍ଚଳର ସତ୍ୟାନନ୍ଦ ଜେନାଙ୍କ ଝିଅ ପୂଜାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠୁ ଉଭୟଙ୍କ ମଧ୍ୟରେ ବିଭିନ୍ନ କଥାକୁ ନେଇ ପାଟିତୁଣ୍ଡ ଲାଗି ରହୁଥିଲା। ଘଟଣା ସମ୍ପର୍କରେ ପୂଜା ବାପ ଘର ଲୋକଙ୍କୁ ଜଣାଇଥିଲେ। ରଜକୁ ଆସିଲେ ସମାଧାନ କରିବା ନେଇ ବାପ ଘର ଲୋକ ଝିଅକୁ କଥା ଦେଇଥିଲେ। ହେଲେ ରଜ ଦୁଇ ଦିନ ପୂର୍ବରୁ ଆଜି ପୂଜା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହା ପରେ ତାଙ୍କ ସ୍ୱାମୀ କୈଳାସ ଘର ଜୀବନ୍ତ ବିଦ୍ୟୁତ୍ ତାରକୁ ଧରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୂଜାଙ୍କ ଶାଶୁ କହିଛନ୍ତି, ମୋ ବୋହୂ ବହୁତ ଭଲ ଥିଲା। ଗତକାଲି ରାତିରେ ପୁଅ ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇ ନଥିଲା। ବୋହୂ ଆଜି ମୋତେ ଶାଗ ପାଇଁ ପଠାଇଥିଲା। ମୁଁ ଶାଗ ନେଇ ଆସିଲା ବେଳକୁ ବୋହୂ କବାଟ ଦେଇ ଘର ଭିତରେ ରହିଛି। ମୁଁ ଯେତେ କବାଟ ବାଡ଼େଲେ ମଧ୍ୟ ସେ ଶୁଣିଲାନି। ପରେ କବାଟ ଭାଙ୍ଗି ଦେଖିଲା ବେଳକୁ ବୋହୂ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛି। ବୋହୂ ଆତ୍ମହତ୍ୟା କରିଥିବା ଦେଖି ପୁଅ ବିଦ୍ୟୁତ ତାର ଛୁଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଖବର ଲେଖାଯିବା ସୁଦ୍ଧା ପୂଜାଙ୍କ ମୃତଦେହ ଘରେ ପଡ଼ିଛି। ପୁଲିସ୍ ପହଞ୍ଚି ନାହିଁ। ତାଙ୍କ ଶ୍ୱଶୁର ଘର ବା ବାପ ଘର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇନାହିଁ।





