କାମାକ୍ଷାନଗର, (ବାଘୁଆବାର୍ତ୍ତା): କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଡ୍ରାଇଭରକୁ ଜଙ୍ଗଲରେ ବାନ୍ଧି ଦୁର୍ବୃତ୍ତମାନେ ଟ୍ରକ ଲୁଟି ନେଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରକୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଳଚେର ହିଙ୍ଗୁଳା ମାଇନ୍ସରୁ କୋଇଲା ବୋଝେଇ କରି ଏକ ଟ୍ରକ ଡୁବୁରୀ ଯାଜପୁର ଯାଉଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ବୋଲେରୋ ଗାଡି ଓ ୪ ଟା ବାଇକରେ ୬ ଜଣ ଦୁର୍ବୁତ୍ତ ଆସି କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମ ନିକଟରେ ଟ୍ରକ ଅଟକାଇ ଥିଲେ। ଏଥିସହ ଡ୍ରାଇଭର ଦେବଗଡ଼ ଅଞ୍ଚଳର ବେଣୁଧର ଭୋଇଙ୍କୁ ଜଙ୍ଗଲରେ ହାତ ଗୋଡ ବାନ୍ଧି ଟ୍ରକ ଲୁଟି ନେଇଥିଲେ। ଶନିବାର ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ନିମନ୍ତେ ଗ୍ରାମ ମହିଳାମାନେ ଯାଇଥିବା ବେଳେ ଡ୍ରାଇଭରକୁ ହାତଗୋଡ ବନ୍ଧା ଅବସ୍ଥାରେ ଦେଖିଥିଲେ। ଏନେଇ ଗାଁ ଲୋକଙ୍କୁ କହିବାପରେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ମଠକରଗୋଳା ମେଡିକାଲ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଡ୍ରାଇଭରଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଡ୍ରାଇଭରଙ୍କ ଠାରୁ ମୋବାଇଲ ପଇସା ଲୁଟ ହୋଇଥିବା ଜଣାପଡିଛି।






