ଆନନ୍ଦପୁର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଦୈତାରୀ ଥାନା ବୁଢିପଦା ଗାଁରୁ ବାଘଛାଲ ଜବତ। ଜଣେ ଶିକାରୀ ଗିରଫ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ବୁଢିପଦା ଗାଁର ବୁଟୁ ମହାକୁଡ଼। ସୂଚନାନୁଯାୟୀ, ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଦୈତାରୀ ଥାନା ବୁଢିପଦା ଗାଁର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଘରେ ବାଘ ଛାଲ ଥିବା ଖବର ପାଇ ଗତକାଲି ରାତିରେ କେନ୍ଦୁଝର ଓ ଆନନ୍ଦପୁର ବନ ବିଭାଗ କର୍ମଚାରୀମାନେ ମିଳିତ ଚଢାଉ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ ମିଳିତ ହୋଇ ବନ ବିଭାଗ ଟିମ୍ ଉପରକୁ ଆକ୍ରମଣ କରି ଅଟକ ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି। ତେବେ ଚଢାଉ ସମୟରେ ବୁଢିପଦା ଗାଁ ମହାକୁଡ ସାହିର ବୁଟୁ ମହାକୁଡଙ୍କ ଘରୁ ଏକ ମହାବଳ ବାଘ ଛାଲ ଜବତ ହୋଇଛି। ଏହା ସହ ବୁଟୁ ମହାକୁଡକୁ ଗିରଫ କରାଯାଇଛି।






