ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରେ ଷ୍ଟ୍ରିଟ କ୍ରାଇମ ରୋକିବାକୁ କମିଶନରେଟ ପୋଲିସର ଧରପକଡ଼ ଆରମ୍ଭ ହୋଇଛି। କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ କବଜାରେ ୧୧ ଜଣ ମୋବାଇଲ ଲୁଟେରା ଧରାପଡିଛନ୍ତି। ଏମାନଙ୍କ ଠାରୁ ୩୦ ରୁ ଅଧିକ ଚୋରା ମୋବାଇଲ ଜବତ କରିଛି ପୋଲିସ। ଏହି ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ରହି ମୋବାଇଲ, ସୁନା ଗହଣା, ମନୀ ପର୍ସ ଲୁଟି ନେଇଯାଉଥିଲେ। ଏମାନେ ଧରାପଡିବା ପରେ ଏହି ଗ୍ୟାଙ୍ଗର ଲୁଟର ତରିକା ଜଣାପଡ଼ିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ଲୋକଙ୍କ ପିଛା କରନ୍ତି ।ଏହାପରେ ଅନ୍ୟ ସଦସ୍ୟ ମାନେ ସେଠାରେ ପହଂଚି ତାଙ୍କୁ ଅଟକାଇ ମାଡ଼ ମାରି ଲୁଟି ନେଇଥାନ୍ତି। ଖଣ୍ଡଗିରି, ବରଗଡ଼, ଇନଫୋସିଟି, ଚନ୍ଦ୍ରଶେଖରପୁର ନୟାପଲ୍ଲୀ, ବରଗଡ଼ ଭଳି ଅଞ୍ଚଳରେ ଅନେକ ଲୁଟପାଟ କରି ଆତଙ୍କ ଖେଳାଇଥିଲେ । ଏମାନଙ୍କୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଷ୍ଟ୍ରିଟ କ୍ରାଇମ ରୋକିବା ଅଭିଯାନ ଆରମ୍ଭ ହୋଇଛି ।






