ରାୟଗଡ଼ା, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲାରେ ବିଏଡ୍ ଶିକ୍ଷା ନାଁରେ ଏକ ବଡ଼ ଧରଣର ଠକେଇ ହୋଇଛି । ଯୁବକ ଯୁବତୀଙ୍କଠାରୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ନେଇ ୪ଟି ସଂସ୍ଥା ମାଲିକ ଫେରାର୍ ହୋଇଯାଇଛନ୍ତି । ସମ୍ପୃକ୍ତ ସଂସ୍ଥାଗୁଡ଼ିକରେ ବର୍ତ୍ତମାନ ତାଲା ଝୁଲୁଛି । ଲୋକଲଜ୍ଜା ଭୟରେ ଟଙ୍କା ଦେଇଥିବା ଯୁବକ ଯୁବତୀମାନେ ପୁଲିସ କିମ୍ବା ପ୍ରଶାସନ ନିକଟରେ କୌଣସି ଅଭିଯୋଗ ଏପର୍ୟ୍ୟନ୍ତ କରିନାହାନ୍ତି । ହେଲେ ଏହା ଏକ ବଡ଼ ଧରଣର ର୍ୟା କେଟ ବୋଲି କିଛି ଯୁବକ ଯୁବତୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି । ପିଲାଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ଗୋଦାବରୀଶନଗର, ଇନ୍ଦିରାନଗର ଏବଂ ନ୍ୟୁ-କଲୋନିଠାରେ ଥିବା ୪ଟି ଇନଷ୍ଟିଚ୍ୟୁଟ ଦ୍ୱାରା ଯୁବକଯୁବତୀମାନେ ଠକେଇର ଶିକାର ହୋଇଛନ୍ତି । ଗୋଟିଏ ଇନଷ୍ଟିଚ୍ୟୁଟ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଠକେଇ କରିଛନ୍ତି । ବିଏଡ୍ ସାର୍ଟିଫିକେଟ ହାତପାଆନ୍ତାରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଇ ଜଣକ ପିଛା ୧ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରି ବର୍ତ୍ତମାନ ଫେରାର ହୋଇଯାଇଛନ୍ତି । ଏକ ମାସ ହେଲା ଇନଷ୍ଟିଚ୍ୟୁଟ ଖୋଲାଯାଇଥିବା ଘରଗୁଡ଼ିକରେ ଏବେ ତାଲା ଝୁଲୁଛି । ନିଜର ସାର୍ଟିଫିକେଟ ପାଇବା ଆଶାରେ ଟଙ୍କା ଦେଇଥିବା ଯୁବକ ଯୁବତୀମାନେ ସେଠାକୁ ଯାଇ ବର୍ତ୍ତମାନ ହତାଶ ହେଉଛନ୍ତି । ଟଙ୍କା ନେଇଥିବା ଇନଷ୍ଟିଚ୍ୟୁଟ କର୍ତ୍ତୃର୍ପକ୍ଷ କୌଣସି ରସିଦ ଦେଇ ନଥିବାରୁ ଯୁବକ ଯୁବତୀମାନେ ପୁଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ସୁବିଧା ଉପାୟରେ ପାଠ ନପଢ଼ି ସାର୍ଟିଫିକେଟ କିଣିବାକୁ ଯାଇ ଏହିଭଳି ହରଡ଼ଘଣାରେ ପଡ଼ିଥିବା ଆଲୋଚନା ହେଉଛି । ଅନେକ ଯୁବକ ଯୁବତୀ ଚାକିରି କରିବା ଲକ୍ଷ୍ୟ ନେଇ ଋଣକରି ଟଙ୍କା ଦେଇଥିବା ବେଳେ କିଭଳି ତାହା ବର୍ତ୍ତମାନ ପରିଶୋଧ କରିବେ ଚିନ୍ତାରେ ରହିଛନ୍ତି । କେତେକ ଯୁବକ ଯୁବତୀ ସୂଚନା ଦେଇଛନ୍ତି, କୌଣସି ପ୍ରକାର ପାଠ ନପଢ଼ି କେବଳ ପରୀକ୍ଷାରେ ସମ୍ପୃକ୍ତ ଇନଷ୍ଟିଚ୍ୟୁଟ ପକ୍ଷରୁ ଯେଉଁ ଉତ୍ତର କପି ପ୍ରଦାନ କରାଯିବ ତାହା ଲେଖିବା ପାଇଁ ସର୍ତ୍ତ କରାଯାଇଥିଲା । ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ମାଧ୍ୟମରେ ଏହି ଜାଲିଆତିର ତଦନ୍ତ କରାଇବାକୁ ଦାବି ହୋଇଛି । ସୂଚନାଥାଉକି, ସରକାରଙ୍କ ଶିକ୍ଷା ଓ ମଙ୍ଗଳ ବିଭାଗରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ବିଏଡ୍ ପାସ କରିବା ବାଧ୍ୟତାମୂଳକ ହୋଇଥିବାବେଳେ ରାଜ୍ୟ ବାହାରର କିଛି ବିଶ୍ୱବିଦ୍ୟାଳୟକୁ ଓଡ଼ିଶା ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ହେଲେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠ ବଦଳରେ ଡିଷ୍ଟାନ୍ସ କୋର୍ସ ନାମରେ ସାର୍ଟିଫିକେଟ ବିକ୍ରି ଚାଲିଛି । ମୁଖ୍ୟତଃ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଭଳି ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି କାରବାର ବ୍ୟାପକ ଭାବେ ଚାଲୁରହିଛି ।






