ଭଦ୍ରକ, (ବାଘୁଆବାର୍ତ୍ତା): ସ୍ଵାଗତ ସମାରୋହ ପରିଚାଳନାକୁ ନେଇ ଉଗ୍ର ରୂପ ନେଲା ବିବାଦ। ଅଣଛାତ୍ରଙ୍କ ସହ ମିଶି କଲେଜ୍ ଛାତ୍ରଙ୍କୁ ଛୁରା ମାଡ଼ କଲେ ଛାତ୍ର। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ଇଂଜିନିୟରିଂ କଲେଜରେ ଘଟିଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରପଦା ଇଂଜିନିୟରିଂ କଲେଜର ଏମବିଏ ଡିପାର୍ଟମେଣ୍ଟର ସ୍ଵାଗତ ସମାରୋହ (ୱେଲକମ ଫଙ୍କସନ) ହେଉଥିଲା । ଦ୍ଵିତୀୟ ବର୍ଷର ଏହି ଫଙ୍କସନ ପରିଚାଳନାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଫଙ୍କସନ ପରେ ଦୀପକ ମାଝୀ ନାମକ ଛାତ୍ର ବାହାରକୁ ଆସିଥିବା ବେଳେ ଜନୈକ ଛାତ୍ର କେତେକ ଅଣଛାତ୍ରଙ୍କୁ ସାଙ୍ଗରେ ନେଇ ଯୁକ୍ତିତର୍କ କରିଥିଲେ। ପରେ ଦୀପକଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ଦୀପକଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ଛାତ୍ର ଜଣକ ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ଘଟଣା ନେଇ ଆକ୍ରମଣକାରୀ ଛାତ୍ର କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।






