ବୁର୍ଲା, (ବାଘୁଆବାର୍ତ୍ତା): ନିଜର ପେଟପାଟଣା ପାଇଁ କିନ୍ନର ମାନେ ଅନେକ ଉପାୟ ଅବଳମ୍ବନ କରୁଛନ୍ତି । ରାସ୍ତା କଡରେ ଛିଡା ହୋଇ କିଛି କିନ୍ନର ଲୋକଙ୍କୁ ଟଙ୍କା ମାଗି ପେଟ ପୋଷୁଛନ୍ତି ତ ଆଉ କିଛି କିନ୍ନର ବିଭିନ୍ନ ବ୍ୟବସାୟ କରି ନିଜର ପେଟ ପୋଷୁଛନ୍ତି । ହେଲେ ବୁର୍ଲାରେ ଜଣେ କିନ୍ନର ନିଜର ନାବାଳିକା ଝିଅକୁ ଦେହ ବ୍ୟବସାୟରେ ଲଗାଇବା ଘଟଣାକୁ ଖୋଦ୍ କିନ୍ନର ସଂଘ ବିରୋଧ କରିଛି । ଆଉ ପୁଲିସର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି । ମିଳିଥିବା ସୂଚନା ମତେ, ସମ୍ବଲପୁର – ବରଗଡ ଜାତୀୟ ରାଜପଥର ହୀରାକୁଦ ରେଳ ଷ୍ଟେସନ୍ ନିକଟରେ କିଛି କିନ୍ନର ରାତିରେ ନିଜର ପେଟ ପୋଷିବା ପାଇଁ ରାସ୍ତା କଡରେ ଛିଡା ହୋଇ ଲୋକଙ୍କୁ ସାହାଯ୍ୟ ମାଗିଥାନ୍ତି । ଏହି କିନ୍ନର ମାନଙ୍କ ମଧ୍ୟରେ ହୀରାକୁଦ ରେଳ ଷ୍ଟେସନ୍ ନିକଟରେ ରହୁଥିବା ଜଣେ କିନ୍ନର ନିଜ ନାବାଳିକା ଝିଅକୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ । ଏହି ଘଟଣାକୁ ଅନ୍ୟ କିନ୍ନର ମାନେ ନିନ୍ଦା କରିବା ସହିତ ଘଟଣା ସମ୍ପର୍କରେ ବୁର୍ଲା କିନ୍ନର ସଂଘ ସଭାପତି ମସ୍ତାନି ସିଂଙ୍କୁ ଜଣାଇଥିଲେ । ମସ୍ତାନି ଉକ୍ତ କିନ୍ନରଙ୍କୁ ଏଭଳି ନ କରିବା ପାଇଁ ପୂର୍ବରୁ ଚେତାବନୀ ଦେଇଥିଲେ । ତଥାପି ଉକ୍ତ କିନ୍ନର ନ ମାନିବାରୁ ଗତକାଲି ରାତିରେ ମସ୍ତାନି ବୁର୍ଲା ପୁଲିସ ସହିତ ଯୋଗାଯୋଗ କରି ଉକ୍ତ କିନ୍ନରଙ୍କୁ ପୁଲିସର ଜିମା ଦେଇଥିବା ଜଣାପଡିଛି । ତେବେ ପୁଲିସ ଉକ୍ତ କିନ୍ନରଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି । ଅନ୍ୟପଟେ ଉକ୍ତ କିନ୍ନରଙ୍କ ଏହି ନାବାଳିକା ବ୍ୟତୀତ ଆଉ ଜଣେ ନାବାଳକ ପୁଅ ମଧ୍ୟ ରହିଛନ୍ତି । ତେବେ ଉଭୟ ନାବାଳିକା ଓ ନାବାଳକଙ୍କୁ କୌଣସି ଆଶ୍ରମରେ ଛାଡିବା ପାଇଁ ମସ୍ତାନି ଯୋଜନା କରୁଥିବା କହିଛନ୍ତି ।






