ସମ୍ବଲପୁର, (ବାଘୁଆବାର୍ତ୍ତା): ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ନେଇ ଲଜ୍ରେ ୱାନ୍ ନାଇଟ୍ ଷ୍ଟାଣ୍ଡ୍ କଲା ଅଭିଯୁକ୍ତ । ରାତିରେ ନାବାଳିକାଙ୍କ ଅନିଚ୍ଛା ସତ୍ତେ୍ୱ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ସକାଳୁ ଆଣି ନାବାଳିକାଙ୍କୁ ଘର ପାଖରେ ଛାଡ଼ି ବାପା-ମା’ଙ୍କୁ ମନେଇ ବାହାଘର ପ୍ରସ୍ତାବ ନେଇ ଆସିବ ବୋଲି ପ୍ରତିଶ୍ରୁତି ଦେଲା । ହେଲେ ସେବେଠାରୁ ଯୁବକଜଣଙ୍କ ଯାଇଛି ଯେ ଆଉ ଫେରିନାହିଁ । ସେପଟେ, ନାବାଳିକା ଉକ୍ତ ଘଟଣାକୁ ନେଇ ଚିନ୍ତିତ ରହିବା ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ଅଭିଯୋଗ ହେବା ପରେ କୁଚିଣ୍ଡା ପୁଲିସ୍ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ, ଗତ ରଜ ପର୍ବର ୪-୫ ଦିନ ପରେ କୁନ୍ତରା ଅଞ୍ଚଳର ଜଣେ ଯୁବକ ଉକ୍ତ ନାବାଳିକାଙ୍କ ସହ ଭେଟ ହୋଇଥିଲା । ନାବାଳିକାଙ୍କୁ ସେ ପ୍ରେମ ନିବେଦନ କରିବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲା । ଏହାପରେ ନାବଳିକାଙ୍କୁ ଭୁତେଇ ସେ କୁଚିଣ୍ଡାର ଏକ ଲଜ୍ରେ ନେଇ ଗୋଟିଏ ଦିନ ଗୋଟିଏ ରାତି ରଖିଥିଲା । ନାବାଳିକାଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କ ସହ ଉକ୍ତ ରାତିରେ ଶାରୀରିକ ସମ୍ପର୍କ ରଖିଥିଲା । ସକାଳୁ ନାବାଳିକାଙ୍କୁ ନେଇ ଘର ପାଖରେ ବି ଛାଡ଼ିଥିଲା । ଖୁବ୍ ଶୀଘ୍ର ପରିବାର ଲୋକଙ୍କୁ ନେଇ ଆସିବା ସହ ବିବାହ ବି କରିବ ବୋଲି ପ୍ରତିଶ୍ରୁତି ଦେଇ ଚାଲିଗଲା । ହେଲେ ଯୁବକଜଣଙ୍କ ଯିବା ପରଠାରୁ ଆଉ ଦେଖାଦର୍ଶନ ଦେଲାନି । ଶେଷରେ ପ୍ରେମିକର ଫେରିବା ବାଟକୁ ଚାହିଁ ରହିଥିଲେ ନାବାଳିକା । ହେଲେ ଶେଷରେ ଧୈର୍ୟ୍ୟଚ୍ୟୁତ ହେବା ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରିବାର ଲୋକଙ୍କ ସହମତିକ୍ରମେ ସେ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।





