ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଟାଉନଥାନା ପୋଲିସ ଦ୍ୱାରା ଏକ ମୋଟରସାଇକେଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରାଯାଇଛି । ସେମାନଙ୍କଠାରୁ ୧୨ ଟି ମୋଟରସାଇକଲ ଜବତ ।ଏହାସହ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅଟେ । ଭଦ୍ରକ ଟାଉନଥାନା ଅଧିନ ବାଇପାସ ବିଶାଲ ମେଗାମାର୍ଟ ସାମନାରୁ ଏକ ବାଇକ ଚୋରି ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ କରି ପୋଲିସ ଜଣଙ୍କୁ ଧରିଥିଲା । ତାଠାରୁ ଚୋରି ହୋଇଥିବା ମୋଟର ସାଇକେଲ ଜବତ କରାଯାଇଥିଲା । ତଦନ୍ତ ପରେ ଏକ ବଡ ରାକେଟ ଧରାପଡିଥିଲା । ବାଇକ ଲୁଟେରାମାନଙ୍କଠାରୁ ୧୨ ଟି ମୋଟର ସାଇକେଲ ଜବତ ହୋଇଛି । ରାକେଟର ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ମୋଟରସାଇକେଲର ସମସ୍ତ ତଥ୍ୟ ସାର୍ବଜନୀନ କରିଛି ପୋଲିସ । ସମସ୍ତ ତଥ୍ୟ ଦେଖାଇ ବ୍ୟକ୍ତିମାନେ ନିଜ ମୋଟରସାଇକେଲ ନେଇ ଯାଇପାରିବେ ବୋଲି ଭଦ୍ରକ ଏସଡିପିଓ ସାର୍ଥକ ରାୟ କହିଛନ୍ତି ।






