ଛତ୍ରପୁର, (ବାଘୁଆବାର୍ତ୍ତା): ଗୁଜରାଟର ଝିଅ । ପ୍ରେମ ଉପରେ ଭରସା କରି ଓଡ଼ିଆ ଯୁବକର ହାତ ଧରିଥିଲେ । ଅନେକ ସ୍ୱପ୍ନ ଦେଖିଥିଲେ, ହେଲେ ପ୍ରେମିକ ହିଁ ତାଙ୍କୁ ଠକିଦେଲା । ଆଉ ନ୍ୟାୟ ପାଇଁ ସୁରଟ ନିକଟ ଅମରୋଲି ଥାନା ଅଞ୍ଚଳର ଯୁବତୀ ଛତ୍ରପୁର ଆସି ଶନିବାର ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବରୁ ଏ ସଂପର୍କରେ ସେ କବିସୂର୍ୟ୍ୟନଗର ଥାନାରେ ଅଭିଯୋଗ କରିଥିଲେ, ହେଲେ ପୁଲିସ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ସେ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏଙ୍କୁ ଗୁହାରି ଜଣାଇଛନ୍ତି । ଯୁବତୀଙ୍କ ଅଭିଯୋଗ ପ୍ରକାରେ- ତାଙ୍କ ପ୍ରେମିକ କୁହାଯାଉଥିବା ୨୮ ବର୍ଷୀୟ ଓଡ଼ିଆ ଯୁବକଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ବଡ଼ଆଗୁଳ ଗ୍ରାମ । ସେ ସୁରଟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଅନେକ ବର୍ଷ ହେବ ସ୍ଥାନୀୟ ଅମରୋଲି ଅଞ୍ଚଳର ୨୧ ବର୍ଷୀୟା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି଼ ଉଠିଥିଲା । ଉଭୟେ ବିବାହ ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଯୁବତୀଙ୍କ ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରୁଥିବାରୁ ସେ ପ୍ରେମ ପାଇଁ ନିଜ ପରିବାରକୁ ଗୋଡ଼ରେ ଆଡ଼େଇ ୭ ମାସ ତଳେ ସମ୍ପୃକ୍ତ ଯୁବକଙ୍କ ପାଖକୁ ଚାଲି ଆସିଥିଲେ । ଦୁହେଁ ସେଠାକାର ଏକ ମନ୍ଦିରରେ ବିବାହ କରିଛନ୍ତି ଓ ପରେ ଏକ ଭଡା ଘର ନେଇ ରହୁଥିଲେ ବୋଲି କହିଛନ୍ତି ଗୁଜରାଟର ଯୁବତୀ । ଏପରିକି ନିଜ ପ୍ରେମ ପାଇଁ ଯୁବତୀଜଣକ ନିଜ ପରିବାର ବିରୋଧରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ଫଳରେ ପରିବାର ସହ ତାଙ୍କର ସମ୍ପର୍କ ସବୁଦିନ ପାଇଁ ଛିନ୍ନ ହୋଇଯାଇଥିଲା । କିଛି ଦିନ ଦୁହେଁ ହସଖୁସିରେ ରହିବା ପରେ ଯୁବକ ପ୍ରେମିକାଙ୍କୁ ପ୍ରତାରଣା କରିବା ଆରମ୍ଭ କରି ଦେଇଥିଲେ । ଏପରିକି ପ୍ରେମିକା (ପତ୍ନୀ)ଙ୍କୁ ମିଛ କହି ସେ ନିଜ ଗାଁକୁ ଆସି ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିବା ପାଇଁ ଯୋଜନା କରିଥିଲେ । ଉଭୟଙ୍କ ସମ୍ପର୍କ ବାବଦରେ ଯୁବକଙ୍କ ପରିବାର ଲୋକ ମଧ୍ୟ ଜାଣିଛନ୍ତି । ତେବେ ପ୍ରେମିକ (ସ୍ୱାମୀ)ଙ୍କ ଦ୍ୱିତୀୟ ବିବାହ ଯୋଜନା ବିଷୟରେ ଗୁଜରାଟର ଯୁବତୀ ଅନ୍ୟ ଏକ ସୂତ୍ରରୁ ଜାଣିବା ପରେ ସୁରଟରୁ ଟ୍ରେନ୍ ଯୋଗେ ଆସି ଜୁଲାଇ ୧୬ ତାରିଖରେ ଭୁବନେଶ୍ୱରରେ ଓହ୍ଲାଇଥିଲେ । ସେଠାକାର ରେଳବାଇ ପୁଲିସର ସହଯୋଗ ଲୋଡ଼ିଥିଲେ । ରେଳବାଇ ପୁଲିସ ତାଙ୍କୁ ବ୍ରହ୍ମପୁର ମହିଳା ଥାନାକୁ ପଠାଇବା ପରେ ସେଠାରୁ ସେ କବିସୂର୍ୟ୍ୟନଗର ଥାନାକୁ ଯାଇ ଜୁଲାଇ ୧୭ରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ପ୍ରେମ ପରେ ପ୍ରତାରଣାର ଶିକାର ହୋଇଥିବା ସୁରଟ ଯୁବତୀ ଶନିବାର ଗଞ୍ଜାମ ଏସ୍ପିଙ୍କ କାର୍ୟ୍ୟାଳୟକୁ ଆସି ଏଏସ୍ପି ଠାକୁର ପ୍ରସାଦ ପାତ୍ରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ପରେ ଏସ୍ପିଙ୍କୁ ମଧ୍ୟ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ଅଭିଯୋଗ କରିବାର ୨୦ ଦିନ ହେଲାଣି, ହେଲେ କବିସୂର୍ୟ୍ୟନଗର ଥାନା ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସେ ଦର୍ଶାଇଛନ୍ତି । ଓଡ଼ିଶା ପୁଲିସ ତାଙ୍କୁ ନ୍ୟାୟ ଦେଇ ପାରୁଛି କି ନାହିଁ ସେ ସନ୍ଦେହ ଘେରରେ ଅଛନ୍ତି । ନ୍ୟାୟ ପାଇଁ ସୁରଟରୁ ଏକୁଟିଆ ଦୌଡ଼ି ଆସିଥିବା ଯୁବତୀ ନିଜ ପ୍ରେମକୁ ଫେରି ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ମଧ୍ୟ ସେ କହିଛନ୍ତି । ଯଦି ସେ କୈାଣସି ନ୍ୟାୟ ନମିଳେ, ତେବେ ପ୍ରେମିକଙ୍କ ଘର ସାମନାରେ ଆତ୍ମହତ୍ୟା କରିବି ବୋଲି ଚେତାଇ ଦେଇଛନ୍ତି ।






