ପୁରୀ, (ବାଘୁଆବାର୍ତ୍ତା): ଗିରଫ ହେଲା ବ୍ରାଉନ ସୁଗାର କିଙ୍ଗପିନ। ପୁରୀ ଚନ୍ଦନପୁର ପୋଲିସ ଦ୍ବାରା ଗିରଫ ହୋଇଛି ଧଳା ଜହରର କିଙ୍ଗପିନ ଭୀମସେନ ପ୍ରଧାନ। ଅଭିଯୁକ୍ତ ଭୀମସେନକୁ ପୋଲିସ ଜଗନ୍ନାଥ ସଡକ ବୀର ନରସିଂହପୁର ଛକ ଠାରୁ ଗିରଫ କରିଥିବା ବେଳେ ତା ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୁଲ୍ୟ ୧୦ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏହାସହ ନଗଦ ୫,୧୫୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ମୋଟର ସାଇକେଲ ପୋଲିସ ଜବତ କରିଛି। ପୁରୀ ଜିଲ୍ଲାକୁ ଧଳା ଜହର ମୁକ୍ତ କରିବା ପାଇଁ ଏସପି କନୱର ବିଶାଳ ସିଂ ଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପିଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ ହୋଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ପୂର୍ବରୁ ମଧ୍ୟ ପୁରୀ ଗ୍ରାମାଞ୍ଚଳର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରାଯାଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି।