ଉମରକୋଟ, (ବାଘୁଆବାର୍ତ୍ତା): ପରୀକ୍ଷା ଦେବାକୁ ଯାଇ ମାସେ ହେଲା ଫେରିନି ପୁଅ। ପୁଅର ବାଟ ଚାହିଁ ବସିଛନ୍ତି ବାପା-ମା। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ସନ୍ଧିମୁଣ୍ଡା ଗ୍ରାମର ପବିତ୍ର ମାଳିଙ୍କ ପୁଅ ବିଦ୍ୟାଧର ମାଳି ଆଜକୁ ଏକ ମାସ ତଳେ ନିଟ୍ ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ଫେରିନାହାଁନ୍ତି। କି ତାଙ୍କର କୌଣସି ଖୋଜ ଖବର ନାହିଁ। ପୁଅକୁ ଝୁରି ଝୁରି ବାପା-ମାଙ୍କ ଅଖିରୁ ଶୁଖୁନି ଲୁହ। ସୂଚନାନୁଯାୟୀ, ବିଦ୍ୟାଧର କୋରାପୁଟ କଲେଜରୁ ପିଜି ପାସ୍ ହୋଇଥିବା ବେଳେ ଗତ ଜାନୁୟାରୀ ୨ ତାରିଖ ଦିନ ଜୟପୁର ଚନ୍ଦାହାଣ୍ଡି ବ୍ଲକ ଚାନ୍ଦଗିରୀ ଗ୍ରାମର ତାଙ୍କ ସାଙ୍ଗ ପାଖେ ରହି ସକାଳେ ନିଟ୍ ପରୀକ୍ଷା ଦେବାକୁ ବ୍ରହ୍ମପୁର ଯାଇଥିଲେ । ବ୍ରହ୍ମପୁରରେ ପରୀକ୍ଷା ସରିବା ପରେ ସାଙ୍ଗମାନେ ଚାଲି ଆସିଥିବା ବେଳେ ସେ କିଛି ଦିନ ବ୍ରହ୍ମପୁରରେ ରହିବେ ବୋଲି ସାଙ୍ଗମାନଙ୍କୁ କହିଥିଲେ। ତେବେ ଆଜିକୁ ଏକ ମାସରୁ ଉର୍ଦ୍ଧ୍ଵ ସମୟ ହୋଇଥିଲେ ମଧ୍ୟ ଏଯାଏଁ ଘରକୁ ଫେରିଲେନି। ଏନେଇ ବାପା ପବିତ୍ର ମାଳି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ବିଦ୍ୟଧରଙ୍କର ଖୋଜ୍ ଖବର ମିଳିନାହିଁ। ଫଳରେ ପୁଅକୁ ଖୋଜିବାକୁ ପାଖରେ ସାମର୍ଥ୍ୟ ନଥିବାରୁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ବିଦ୍ୟାଧରଙ୍କ ପରିବାର ଲୋକେ।