କଟକ, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଗତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ବସନ୍ତଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ଅଭିଯୁକ୍ତ ବସନ୍ତ, ସ୍ବର୍ଗତ ଜୟଶ୍ରୀଙ୍କ ସଂପର୍କୀୟ ଭିଣୋଇ। ଗତ ୨୦୧୧ ମସିହା ଜୁନ୍ ମାସରେ ସେ ଜୟଶ୍ରୀଙ୍କୁ ହତ୍ୟା କରି ନିଜ ଗାଁ ନିକଟରେ ପୋତି ଦେଇଥିବାର ଅଭିଯୋଗ ହୋଇଛି । କିନ୍ତୁ ସମ୍ବଲପୁର ପୋଲିସ ଘଟଣାର ୪ ମାସ ବିଳମ୍ବରେ କେବଳ ଏକ ଷ୍ଟେସନ ଡାଏରୀ ଦାଏର କରି ବସିଯାଇଥିଲା । କିନ୍ତୁ ମା’ଙ୍କ ନିଖୋଜ ଘଟଣାକୁ ତାଙ୍କ ଝିଅ ତଥା ଜେଏନ୍ୟୁର ଗବେଷିକା ବିଜୟିନୀ ମିଶ୍ର ଆଗକୁ ନେଇଥିଲେ । ପ୍ରାୟ ୮ବର୍ଷ ପରେ ୨୦୧୯ ମସିହାରେ ଜୟଶ୍ରୀଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଲା ଓ ପୋଲିସ ଏହାକୁ ଏକ ହତ୍ୟା ମାମଲାରେ ପରିବର୍ତ୍ତିତ କରି ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିଥିଲା ।





