ଖମାର, (ବାଘୁଆବାର୍ତ୍ତା): ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା କୁଞ୍ଜାମ ଜିତ୍ମୁଣ୍ଡା ହୋ ସାହି ଟ୍ରିପଲ୍ ମର୍ଡର ଘଟଣାରେ ପୁଲିସ ମୋଟ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ପୁଲିସ କହିଛି । ଅନ୍ୟପକ୍ଷରେ ନିଖୋଜ ତିନି ଜଣଙ୍କ ମଧ୍ୟରୁ ଗତକାଲି ଦାଦା ବୁଦ୍ଧୁରାମ ଚାତର୍ ଓ ପୁତୁରା ବୁଦ୍ଧିଆ ଓରଫ୍ ମୋଟେଇ ଗାଗରାଇଙ୍କ ମୃତଦେହ ସମାକୋଇ ନଦୀରୁ ଉଦ୍ଧାର ହୋଇଛି । ଏବେ ସୁଦ୍ଧା ବୁଦ୍ଧୁରାମଙ୍କ ସ୍ତ୍ରୀ ମୁନି ଚାତର ନିଖୋଜ ଥିବାବେଳେ ନଦୀରେ ତଲାସି ଅଭିଯାନ ଜାରି ରହିଛି । ଅଟକ ଥିବା ଅଭିଯୁକ୍ତମାନଙ୍କୁ ମାରାଥନ୍ ଜେରା ପରେ ପୁଲିସ ହତ୍ୟାକାଣ୍ଡର ରହସ୍ୟ ଉପରୁ ପର୍ଦା ହଟାଇଛ । ଗତ ୩୦ ତାରିଖ ଅପରାହ୍ଣରେ କୁଞ୍ଜାମ ଜିତମୁଣ୍ଡା ସାହିର ବୁଦ୍ଧୁରାମଙ୍କ ଘରକୁ ତାଙ୍କର ପୁତୁରା ଡିହସାହିର ବୁଦ୍ଧିଆ ଗାଗରାଇ ଯାଇଥିଲେ । ପୂର୍ବରୁ ଏକ ଶ୍ରାଦ୍ଧବାର୍ଷିକୀରେ ଖାସି ମାଂସ ଭୋଜି ଦିଆଯାଇନଥିବାରୁ ଉଭୟ ପରିବାରକୁ ସାହିବାସୀ ବାସନ୍ଦ କରିଥିଲେ । ଏହାଛଡ଼ା କିଛି ଦିନ ତଳେ ସାହିର ଜଣେ ୨୪ ବର୍ଷର ଯୁବକର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ଗୁଣିଗାରେଡ଼ି ସନ୍ଦେହ କରି ଦୁଇ ପରିବାର ଉପରେ ଆକ୍ରୋଶ ମନୋଭାବ ରଖିଥିଲେ । ଘଟଣା ଦିନ ବୁଦ୍ଧିଆ ଓ ତାଙ୍କ ଦାଦା-ଖୁଡ଼ୀ ଘରେ ଥିବାବେଳେ ଜିତମୁଣ୍ଡା ସାହିର ୬ ଜଣ ଯୁବକ ସେମାନଙ୍କୁ ଘରୁ ଘୋଷାଡ଼ି ନେଇ ପିଟି ପିଟି ହତ୍ୟା କରିଥିଲେ । ପରେ ସେମାନଙ୍କୁ ସମାକୋଇ ନଦୀରେ ଫିଙ୍ଗି ଦେଇଥିଲେ । ଏ ନେଇ ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ ଛାନ୍ଭିନ୍ କରି ଚନ୍ଦ୍ର ଦଙ୍ଗ (୪୭), ଶଙ୍କର ପୂର୍ତ୍ତି (୨୨), ନିରଞ୍ଜନ ଚାମ୍ପିଆ (୨୨), ଟିଟୁ ଓରଫ୍ କନ୍ତାରୁ ଦଙ୍ଗ (୨୪) ସମେତ ଦୁଇ ନାବାଳକଙ୍କୁ ଗିରଫ କରିଥିଲା । ଦୁଇ ନାବାଳକକୁ ଅନୁଗୁଳ ବାଳ ସୁଧାର ଗୃହ ଏବଂ ଅନ୍ୟ ୪ ଅଭିଯୁକ୍ତଙ୍କୁ ପାଳଲହଡ଼ା ଜେଲ୍କୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ସମାକୋଇ ନଦୀରେ ତଲାସି ଚଳାଇ ଗତକାଲି ରଜଡଙ୍ଗ ଗ୍ରାମ ନିକଟରୁ ବୁଦ୍ଧୁରାମ ଚାତର ଓ ଆଜି ସମଲ ଥାନା ଗହମ ଗ୍ରାମ ନିକଟରୁ ଅଗ୍ନିଶମ ବିଭାଗ ବୁଦ୍ଧିଆ ଗାଗରାଇଙ୍କ ମୃତଦେହ ଜବତ କରିଛି ବୋଲି ଥାନା ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ଏଯାବତ୍ ମୁନି ଚାତରଙ୍କ ଶବ ମିଳିନଥିବାରୁ ପାଲଲହଡ଼ା ଓ କଣିହାଁ ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି ଚଳାଇଛନ୍ତି ।





