ରାଉରକେଲା, (ବାଘୁଆବାର୍ତ୍ତା): ୧୩ ବର୍ଷର ନାବାଳିକାଙ୍କୁ ବିକ୍ରି ଉଦ୍ୟମ ପଣ୍ଡ। ଝିଅକୁ ବିକ୍ରି କରିବାକୁ ଯୋଜନା କରୁଥିଲା ପିଶାଚିନୀ ମାଆ। ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା ଝିଅ। ଏଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ। ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳର ଜଣେ ୧୩ ବର୍ଷିୟା ନାବାଳିକାଙ୍କୁ ବିକ୍ରି ଉଦ୍ୟମ ପଣ୍ଡ ହୋଇଛି। ଗତ ସୋମବାର ନାବାଳିକାଙ୍କ ମାଆ ତାଙ୍କ ବାପାଙ୍କ ଅନୁପସ୍ଥିତିରେ ଝିଅକୁ ବିକି ଦେବାକୁ ବସିଥିଲେ। ନାବାଳିକାଙ୍କୁ ମହାରାଷ୍ଟ୍ର ଅଞ୍ଚଳର କ୍ରିଷ୍ଣା ମୋରିଆ ନାମକ ଜଣେ ଯୁବକ ସହ ମନ୍ଦିର ସମ୍ମୁଖରେ ଫୁଲ ମାଳ ଓ ସିନ୍ଦୂର ଦେଇ ଦୁବାଇ ପଠାଇବା ପାଇଁ ଯୋଜନା କରୁଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ନାବାଳିକାଙ୍କ ବାପା ଜଣେ ମହିଳା ସ୍ଵଚ୍ଛାସେବୀଙ୍କ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ଏସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ହେପାଜତରେ ନେବା ସହ ମହାରାଷ୍ଟ୍ରର ଯୁବକଙ୍କୁ ପ୍ଲାଣ୍ଟସାଇଡ଼ ଥାନାରେ ଅଟକ ରଖିଛି । ପରେ ନାବାଳିକାଙ୍କୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।





