କଳାହାଣ୍ଡି (ବାଘୁଆବାର୍ତ୍ତା): ଯୁବକଙ୍କ ଗଳାକାଟି ହତ୍ୟା । ଘର ସାମ୍ନାରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ମୃତକ ୩୨ ବର୍ଷୀୟ ନୀଳମଣି ଦଣ୍ଡସେନା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ସିମିଲିଭଟ୍ଟା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ନୀଳମଣି ଘର ସାମ୍ନାରେ ଶୋଇଥିଲେ । ତେବେ ଆଜି ସକାଳ ଦେଖିବା ବେଳକୁ କେହି ତାଙ୍କୁ ହତ୍ୟା କରିଦେଇଛି । ଏପରିକି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି ଦୁର୍ବୃତ୍ତ । ନୀଳମଣିଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ନୀଳମଣିଙ୍କ ସ୍ତ୍ରୀ । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏହା ସହିତ ଆବଶ୍ୟକ ପଡିଲେ ସାଇଣ୍ଟିଫିକ ଟିମ ସହଯୋଗ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଓ କାହିଁକି ନୀଳମଣିଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଛି । ଯଦି ହତ୍ୟା କରିଛି, ତେବେ ହତ୍ୟା ପଛର କାରଣ କଣ? ଏପରି ଅନେକ ପ୍ରଶ୍ନର ଉତ୍ତର ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି ।






