ପୁରୀ, (ବାଘୁଆବାର୍ତ୍ତା): ବାଇକ୍ ଚୋରି କରି ଚମ୍ପଟ ମାରିଲା ଚୋର । ମାମଲା ରୁଜୁ କରି ନାକେଦମ୍ ହେଲା ପୁଲିସ । ଦୀର୍ଘ ୧୫ ଦିନ କାଳ ଖୋଜିବା ପରେ ଚୋର ଧରାପଡିଲା । ଥାନାରେ ବସିଥିବାବେଳେ ବାଇକ ମାଲିକଙ୍କୁ ଦେଖି କହିଲା, ‘ଭାଇ ମୁଁ କ’ଣ ତମ ଗାଡିଟା ଫେରେଇ ଦେଇ ନଥାନ୍ତିଟ୍ଟ, ତମେ ଗୋଟେ କେଶ୍ଟେ କରିଦେଲଟ୍ଟ ।’ ଚୋରର ଏଭଳି ବିକଳ ଅବସ୍ଥା ଦେଖି କୁମ୍ଭାରପଡା ଥାନାରେ ହସର ଆସର ଜମିଥିଲା । ମିଳିଥିବା ଖବର ଅନୁଯାୟୀ, ଚୋର ଜଣକ ହେଲା ନରେନ୍ଦ୍ରକୋଣର ବିଜୁ ମହାନ୍ତି (୨୭) । ସେ ଶିଶିର ପାଢୀ ନାମକ ଜଣେ ବ୍ୟବସାୟୀଙ୍କ ବାଇକ ଚୋରି କରିଥିଲା । ପୁଲିସ କହିଛି ଯେ, ଜଣେ ମହିଳାଙ୍କୁ ବିଜୁ ମାଡ ମାରୁଥିବାବେଳେ ଶିଶିର ବୁଝାଇବାକୁ ଯାଇଥିଲେ । ଲୋକଙ୍କ ଭିଡ଼ ଜମିଯିବାରୁ ଶିଶିରଙ୍କ ବାଇକ ନେଇ ଘଟଣା ସ୍ଥଳରୁ ଖସି ପଳାଇଥିଲା ବିଜୁ । ବାଇକ ଚୋରି ସହିତ ମହିଳାଙ୍କୁ ଦୁଷ୍କର୍ମ ମାମଲା ମଧ୍ୟ ତା’ ନାଁରେ ରହିଛି ବୋଲି ଆଇଆଇସି ବିଚିତ୍ରାନନ୍ଦ ସେଠୀ କହିଛନ୍ତି ।





