ପାଟନା, (ବାଘୁଆବାର୍ତ୍ତା): ପ୍ରେମ ବ୍ୟାପାରକୁ ନେଇ ଜଣେ ୧୭ ବର୍ଷୀୟ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ଘର ଲୋକେ ପିଟି ପିଟି ମାରି ଦେଲେ। ଏହା ପରେ ମୃତ ଯୁବକଙ୍କ ଉତ୍ତ୍ୟକ୍ତ ପରିବାର ଲୋକେ ତାଙ୍କର ଶବଦାହ ତାଙ୍କ ପ୍ରେମିକାଙ୍କ ଘର ଆଗରେ କଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଜିଲ୍ଲାରେ। ମୃତ ଯୁବକଙ୍କ ନାଁ ସୌରଭ କୁମାର। ସେ ରେପୁରା ରାମପୁରଶାହ ଗାଁର ବାସିନ୍ଦା ଥିଲେ। ଶୁକ୍ରବାର ସେ ନିକଟବର୍ତ୍ତୀ ସୋରବରା ଗାଁରେ ରହୁଥିବା ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିଲେ। ତେବେ ସୌରଭଙ୍କୁ ନିଜ ଘରେ ଦେଖି ପ୍ରେମିକାଙ୍କ ପରିବାର ଲୋକେ ରାଗି ଯାଇଥିଲେ ଓ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହା ସହିତ ସେମାନେ ସୌରଭଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ସୌରଭଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶୁକ୍ରବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର ପାଇବା ପରେ କାନ୍ତି ଥାନା ପୁଲିସ୍ ଶବକୁ ଜବତ କରିବା ସହିତ ତା’ର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଶନିବାର ସୌରଭଙ୍କ ପରିବାର ଲୋକଙ୍କ ସହିତ ସଂପର୍କୀୟମାନେ ତାଙ୍କ ପ୍ରେମିକାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ତା’ସହିତ ସେମାନେ ତାଙ୍କ ଘର ସାମ୍ନାରେ ସୌରଭଙ୍କ ଅନ୍ତିମ ସଂସ୍କାର କରିଥିଲେ। ସୌରଭ କୁମାରଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ପାଣ୍ଡେ ଓରଫ ବିଜୟ କୁମାରଙ୍କୁ ଗିରଫ କରିଛି। ଏହା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି। ସେହିପରି ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଆକ୍ରମଣ କରିବା ଅଭିଯୋଗରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ମୁଜାଫରପୁର ଏସ୍ପି କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଛି। ଘଟଣାର ତଦନ୍ତ ଜାରି ରହିଛି।





