Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମରିଯାଉଛି ମାନବିକତା ଆଉ ମାନବୀୟ ମୂଲ୍ୟବୋଧର ସମ୍ପର୍କ

by ସଞ୍ଜୟ ସ୍ୱାଇଁ
July 24, 2021
in Crime, State
ମରିଯାଉଛି ମାନବିକତା ଆଉ ମାନବୀୟ ମୂଲ୍ୟବୋଧର ସମ୍ପର୍କ
188
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରେମ- ଏମିତି ଏକ ଜିନିଷ, ଯାହା ଯେତେ କଲେ ବି ମନ ବୁଝେନା । ନିଜକୁ ପ୍ରେମ କରି ଗଢ଼ି ତୋଳିବା ବିନା ଏତେ ସହଜରେ ବୁଝି ହୁଏନା କଣ ଏହି ପ୍ରେମ । ଏଭଳି ମତ ଦେଇଛନ୍ତି ଜଣେ ଯୁବ ସାମ୍ବାଦିକ । ତାଙ୍କ ମତରେ ଭଗବାନଙ୍କୁ ବୁଝିବାକୁ ହେଲେ ଭଗବାନ ଭଳି ନିଜକୁ ହେବାକୁ ପଡ଼ିବ । ବାସ୍ତବରେ ଏଠାରେ ଆମର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ସ୍ୱର୍ଗତ ମନୋଜ ଦାସଙ୍କ କଥାପଦେ ମନେପଡ଼େ । ସେ ଥରେ ଏକ କାର୍ୟ୍ୟକ୍ରମରେ ଅତିଥି ଥିବା ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ସୁନ୍ଦର ମତଟିଏ ଦେଇଥିଲେ । ଯାହାର ମର୍ମ ହେଲା- ରାଜନୀତି ବା ରାଜନେତାକୁ ଉଚିତ୍ ଭାବେ ସମାଲୋଚନା କରିବାକୁ ହେଲେ ପ୍ରଥମେ ସେଇ ସ୍ଥାନରେ ଛିଡ଼ା ହେବାକୁ ପଡ଼ିବ । ଅର୍ଥାତ୍ ନିଜକୁ ଉପଯୁକ୍ତ ସ୍ଥାନରେ ନପହଞ୍ଚାଇ କେବଳ ଅନ୍ୟକୁ ସମାଲୋଚନା କରିଦେଲେ ହେବନି । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସେ ଅବତାରଣା କରିଥିଲେ । ଯାହାକି ପ୍ରେମ ପ୍ରସଙ୍ଗରେ ବି ସେମିତି ବୁଝିବାକୁ ହେବ । କୁହାଯାଏ ଯିଏ ପ୍ରେମ କରିନି ସେ କେମିତି ହୃଦୟର ବେଦନା ବୁଝି ପାରିବ ? ହେଲେ ସମୟ ସହ ବଦଳିଛି ପ୍ରେମର ପରିଭାଷା ଏବଂ ବଦଳିଛି ତାର ମୂଲ୍ୟବୋଧ । ଆଉ କାହିଁ ସେ ମଣିଷର ନିଃସ୍ୱାର୍ଥପର ଭଲ ପାଇବା ଏବଂ ଅନାବିଳ ପ୍ରେମ । ସାଂପ୍ରତିକ ସମୟରେ ଶାଶ୍ୱତ ପ୍ରେମ ଖୋଜି ପାଇବା ଦୁଲର୍ଭ ହୋଇଗଲାଣି । କାରଣ ବର୍ତ୍ତମାନ ସମାଜରେ ପ୍ରେମ ନୁହେଁ ଚାଲିଛି ଆକର୍ଷଣର ଖେଳ । ପ୍ରେମର କଷଟି ଏବେ ଅର୍ଥ ଏବଂ ଶାରୀରିକ ଭୋକରେ ସୀମିତ ହେବାରେ ଲାଗିଛି । ଚିରନ୍ତନ ଏବଂ ଅନାବିଳ ପ୍ରେମ ଅବହେଳିତ ଏବଂ ନିଷ୍ପେସିତ ହୋଇ ଚାଲିଛି । କ୍ଷଣ ଭଙ୍ଗୁର ମନ ଏବେ ଶରୀରର ଉନ୍ମାଦନାରେ ମଦମସ୍ତ ହେବାରେ ଲାଗିଛି । କ୍ଷଣିକ ସୁଖରେ ଆଜି ପ୍ରେମ ପରି ଅଢେଇ ଅକ୍ଷରର ଶବ୍ଦ ହୋଇଛି କଳୁଷିତ । ‘ପ୍ରେମ’ର ଉଚ୍ଚାଙ୍ଗସ୍ତରକୁ ଯିବାକୁ କିଏ ଚାହୁଛି? କାହା ପାଖରେ ସେ ଆଉ ଇଚ୍ଛାଶକ୍ତି ଓ ଆଗ୍ରହ ଅଛି? ସେଇ ମହାଭାବର ସ୍ରୋତରେ ଥରେ ପହଁରିବାକୁ କାହା ପାଖରେ ସମୟ ଅଛି? ଏଭଳି ଅନେକ ପ୍ରଶ୍ନ ସ୍ୱତଃ ଉଙ୍କିମାରେ । କାରଣ ସାମ୍ପ୍ରତିକ ସମାଜର ଚାରିଆଡ଼େ ଜଣେ ଆଖି ବୁଲେଇଲେ ପାଇବ କେବଳ କୁଢ଼କୁଢ କଳୁଷିତମୟ କରୁଣ ଦୃଶ୍ୟ । ପ୍ରେମରେ ନାହିଁ ଆଉ ସେହି ତ୍ୟାଗପଣ । ଯେଉଁଠି କେବଳ ଦେହ-ଦେହର ଭୋକ ବିକଳ ଆଉ ଏକ ଖେଳ ବୋଲି ପ୍ରତୀତ ହେବ । ପାରିବାରିକ ସଂସ୍କାର ଓ ସାମାଜିକ ମୂଲ୍ୟବୋଧର ଅନ୍ତରାଳେ ବଢ଼ିଚାଲିଛି ଅପସଂସ୍କୃତିର ପ୍ରବାହ ଆଉ ଗୋଟିଏ ପରେ ଗୋଟିଏ ଅପରାଧ । ଏଇଠି ପ୍ରଶ୍ନଟିଏ ଆସେ କାହିଁ ସେ ଅନାବିଳ, ଚିରନ୍ତନ, ସୁନ୍ଦର ପ୍ରେମଟ୍ଟ? କୁହାଯାଏ ଭାତହାଣ୍ଡିରୁ ଗୋଟିଏ ଦେଖିଲେ ଜଣାପଡ଼ିଯାଏ ହାଣ୍ଡିରେ ଖାଦ୍ୟ ପ୍ରସ୍ତୁତ ହୋଇଛି କି ନାହିଁ । ସେହିପରି ଶହଶହ ଉଦାହରଣ ମଧ୍ୟରେ ଆସନ୍ତୁ ଟିକିଏ ନଜର ପକାଇବା ସମ୍ପ୍ରତି ଖବରର ଶିରୋନାମାରେ ରହିଥିବା ରାଜ୍ୟର କେତୋଟି ଚର୍ଚ୍ଚିତ ଅଭାବନୀୟ ଘଟଣା ସମ୍ପର୍କରେ । ପ୍ରଥମେ ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା । ଏହାକୁ ନେଇ ବେଶ୍ କିଛିଦିନ ହେଲା ସାରା ରାଜ୍ୟ ପଡ଼ିଲା ଆଉ ଉଠିଲା । ଏବେ ମଧ୍ୟ ସମ୍ପୂର୍ଣ୍ଣ ଖିଅ ମିଳିନି କି ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଲୋକେ ଜାଣିପାରିନାହାନ୍ତି । ଫଳରେ ସୋସିଆଲ୍ ମିଡିଆରେ ଏନେଇ ଚର୍ଚ୍ଚା କମିନାହିଁ । ଏପରିକି ସ୍ୱର୍ଗତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି ଏବଂ ସେ ମଝିରେ ମଝିରେ ସୋସିଆଲ୍ ମିଡିଆରେ ଲାଇଭ୍ ଆସିବା ସହ ନିଜ ସ୍ୱାମୀଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରୁଛନ୍ତି । ଏଥିସହ ତାଙ୍କଆଡ଼କୁ ଆଙ୍ଗୁଳି ଉଠାଉଥିବା ଲୋକଙ୍କୁ ଦେଉଛନ୍ତି ଦୃଢ ଜବାବ । ତେବେ ସତରେ କେମିତି ମୃତ୍ୟୁ ଘଟିଲା ଆଦିତ୍ୟଙ୍କର? ଏନେଇ ସାଧାରଣରେ ଦ୍ୱନ୍ଦ୍ୱ ଅପସରି ନାହିଁ । ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିବା ଆଦିତ୍ୟଙ୍କୁ ମାରିଦିଆଗଲା ବୋଲି ଅନେକ ଅଭିଯୋଗ କରୁଥିବାବେଳେ ଆଉକେତେକଙ୍କ ନଜରରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ବାସ୍ତବ ଘଟଣା ଯାହାହେଉ, ଆମେ ପ୍ରେମ କଥା ବିଚାର କରିବା । କୁନି କୁନି ପିଲାଙ୍କ ଗହଣରେ ହସିଖେଳି ନାଚି ଖୁସି ମନାଉଥିବା ଆଦିତ୍ୟଙ୍କ ଜୀବନରେ କଣ ପ୍ରେମର ଅଭାବ ରହିଥିଲା? ପ୍ରେମରେ ଉବୁଟୁବୁ ଥିବା କେହି କଣ କରିପାରେ ଆତ୍ମହତ୍ୟା? ଆଉ ଯଦି ତାଙ୍କୁ କେହି ହତ୍ୟା କଲା, ତେବେ ତାହା କଣ ପ୍ରେମ ପାଇଁ? ପ୍ରେମ ପାଇଁ କିଏ କାହାକୁ ମାରିପାରେ? ଏସବୁ ପ୍ରଶ୍ନ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ଉତ୍ତର ମିଳିବା ସହଜ ନୁହେଁ । ଏଥର ନଜର ପକାନ୍ତୁ- ଭୀମଟାଙ୍ଗି ପ୍ରିୟଦର୍ଶିନୀ ମର୍ଡର କେସ୍ ଉପରେ । ଜାତିପ୍ରାଣ ମହାବାହୁ ଜଗତର ନାଥ ଶ୍ରୀଗନ୍ନାଥଙ୍କ ନାମ ରଖିଥିଲେ ବାପା-ମା’; ହେଲେ ସେଇ ନାମଧାରୀ ଜଗନ୍ନାଥ ଜଣଙ୍କୁ ହତ୍ୟା କରିବା ସ୍ୱୀକାର କରିସାରିଛି । କୁଆଡ଼େ ତାହା ପ୍ରେମ ଥିଲା! ସତରେ କଣ ଜଗନ୍ନାଥ ପ୍ରେମ କରୁଥିଲେ? ଆଉ ସେଥିପାଇଁ କେବଳ ପ୍ରିୟଦର୍ଶିନୀ ନୁହେଁ, ତାଙ୍କ କୁନି ପୁଅକୁ ମଧ୍ୟ ମାରିଦେବାକୁ ଟାର୍ଗେଟ କରିଥିଲା ଜଗନ୍ନାଥ । ଆଉ ଏହି ବୀଭତ୍ସ ହତ୍ୟାକାଣ୍ଡର ଲାଇଭ୍ ଦେଖାଇବାକୁ ପ୍ରିୟଦର୍ଶିନୀଙ୍କ ସ୍ୱାମୀଙ୍କୁ କଲ କରିଥିଲା । ଫଟୋ ବି ପଠାଇଥିଲା । କେବଳ ସେତିକି ନୁହେଁ, ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଚେଷ୍ଟା କରିଥିଲା ଜଗନ୍ନାଥ । ବହୁଦିନର ତନାଘନା ପରେ ଏମିତି ନିଷ୍କର୍ଷ ପାଇସାରିଛି ପୋଲିସ୍ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଇଏ କିଭଳିଆ ପ୍ରେମ? ପ୍ରେମରେ ତ୍ୟାଗ ବୋଲି ଶବ୍ଦ କୁଆଡ଼େ ଗଲା? କଣ କେବଳ ପ୍ରିୟଦର୍ଶିନୀଙ୍କ ଦେହକୁ ହିଁ ପ୍ରେମ କରୁଥିଲେ ଜଗନ୍ନାଥ- ଏଭଳି ମନେହେଉନି କି? ଯଦି ବାସ୍ତବ ପ୍ରେମ କରୁଥିଲେ ପ୍ରିୟଦର୍ଶିନୀଙ୍କ ସୁଖରେ ଖୁସି ହୋଇପାରୁନଥିଲେ କାହିଁକି? ଅନ୍ୟପକ୍ଷରେ ପ୍ରିୟଦର୍ଶିନୀ କଣ ଜଗନ୍ନାଥଙ୍କୁ ପ୍ରେମ କରୁଥିଲେ? ଯଦି କରୁଥିଲେ, ତେବେ ଅନ୍ୟଜଣଙ୍କୁ ବାହାହେଲେ କେମିତି? କାହିଁକି ଜଗନ୍ନାଥଙ୍କ ମନରେ ବିଷ ଭରିଦେଲେ? ଏହାର ପରିଣାମ ସମ୍ପର୍କରେ କେବେ ଚିନ୍ତା କରିନଥିଲେ ପ୍ରିୟଦର୍ଶିନୀ? ପୁଣି ଅନ୍ୟକୁ ବିବାହ କରିବା ପରେ ଆଉଥରେ ଜଗନ୍ନାଥ ଲିଙ୍କ୍ କାହିଁକି ରହିଥିଲା? କେବଳ ସେତିକି ନୁହେଁ, ପ୍ରିୟଦର୍ଶିନୀ-ସ୍ୱାମୀ ରାକେଶ ଆଉ ଜଗନ୍ନାଥଙ୍କ ମଝିରେ ଚତୁର୍ଥ ପୁରୁଷ ତାପସ ସମ୍ପର୍କରେ ଉଠୁଥିବା ଅଭିଯୋଗର ରହସ୍ୟ କଣ? ପ୍ରିୟଦର୍ଶିନୀ କେଉଁଭଳି ପ୍ରେମ କରୁଥିଲେ- ଯାହା ତାଙ୍କ ପାଇଁ କାଳ ପାଲଟିଗଲା? ଏହି ଘଟଣାର ପୃଷ୍ଠଭୂମିକୁ ମଧ୍ୟ ଗୁରୁତର ସହ ଚିନ୍ତା କରିବା ସମାଜର ସବୁବର୍ଗ ପାଇଁ ମଙ୍ଗଳ ବୋଲି ମତ ପ୍ରକାଶ ପାଉଛି । ଏଥର ବିଚାର କରନ୍ତୁ, କ୍ରାଇମବ୍ରାଞ୍ଚ ଆଉ ପୋଲିସ୍ ଖୋଳତାଡ଼ କରୁଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଉପରେ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି ଏହି ଘଟଣାର । ସେପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଗୋଟିଏ ପରେ ଗୋଟିଏ ଡାଏରୀ ପୃଷ୍ଠା (ବା ଚିଠି) ଗଣମାଧ୍ୟମ ପାଖରେ ପହଞ୍ଚିବାରେ ଲାଗିଛି । ଫଳରେ ଘଟଣା ଆହୁରି ରହସ୍ୟମୟ ହୋଇପଡୁଛି । ସୌମ୍ୟଙ୍କ ମା’ କହୁଛନ୍ତି ଯେ ପୁଅ-ବୋହୂଙ୍କ ମଧ୍ୟରେ ନଥିଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ । ହୋଇଥିଲା କଣ୍ଟ୍ରାକ୍ଟ ମ୍ୟାରେଜ୍ । ଆଉ ବୋହୂ ଦିନେ ରାତିରେ ହାତର ଶଙ୍ଖା ଭାଙ୍ଗି, ସିନ୍ଦୁର ପୋଛି କୁଆଡ଼େ ଚାଲି ଯାଇଥିଲାବେଳେ ପୁଅ ଖୋଜିଖୋଜି ଡିଏଫଓଙ୍କ ଘରୁ ଠାବ କରିଥିଲା । ଅର୍ଥାତ୍ ବୋହୂର ପରକୀୟା ପ୍ରୀତି ଥିଲା ବୋଲି ସୌମ୍ୟଙ୍କ ଭାଇ-ବାପା-ମା ସମସ୍ତେ ଅଭିଯୋଗ କରୁଛନ୍ତି । ସେପଟେ ବିଦ୍ୟାଭାରତୀଙ୍କ ବାପା କହୁଛନ୍ତି ଝିଅ-ଜ୍ୱାଇଁ ଥିଲା ଭଲ ସମ୍ପର୍କ । ସେହିପରି ବିଦ୍ୟାଭାରତୀ କହୁଛନ୍ତି ଯେ ସେ ଡିଏଫଓଙ୍କୁ ଜାଣିନାହାନ୍ତି କି ଚିହ୍ନି ନାହାନ୍ତି, ସିସିଟିଭି ଫୁଟେଜ୍ ଦେଖି ତଦନ୍ତ କରାଯାଉି । ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି ବୋଲି ମଧ୍ୟ ସେ ପ୍ରଥମରୁ କହିଛନ୍ତି । ହେଲେ ସାମ୍ନାକୁ ଆସୁଥିବା ଚିଠିରେ ଲେଖିଛନ୍ତି ଯେ ଦୁନିଆର ସବୁଠୁ ସେ ଅଧିକ ଘୃଣା କରନ୍ତି ସୌମ୍ୟଙ୍କୁ । କେମିତି ବି ହେଉ ତାଙ୍କଠାରୁ ଦୂରେଇବାକୁ ସେ ଦିନ ଗଣୁଥିବା ଚିଠିର ଲେଖାରୁ ବୁଝାପଡୁଛି । କାରଣ ସେ ଲେଖିଛନ୍ତି ଯେ ଆଉ ୩ ଦିନ କେମିତି ଯିବ, ଅନ୍ତତଃ ୧୦-୧୨ ଦିନ ଶାନ୍ତିରେ ରହିବି । ସେହିପରି ଦ୍ୱିତୀୟ ଚିଠି ସାମ୍ନାକୁ ଆସିଥିବାବେଳେ ସେଥିରେ ବିଦ୍ୟା ଖୁବ୍ ଗାଳି କରିବା ଦେଖାଯାଇଛି । ଏଥିସହ ‘ହେ! ପ୍ରଭୁ କେମିତି ହେଉ ଡିଭୋର୍ସ କରାଇଦିଅ, ପୁରୀ ମନ୍ଦିରରେ ଯାଇ ଦାସୀ ହୋଇ ରହିବି’ ବୋଲି ଲେଖିଛନ୍ତି । ତେବେ ପୋଲିସ୍ ତଦନ୍ତ ଚାଲିଥିବାବେଳେ କୌଣସି ସିଦ୍ଧାନ୍ତରେ କେହି ପହଞ୍ଚିବା ଠିକ୍ ନୁହେଁ । କିନ୍ତୁ ଆମେ କଥା ହେବା ପ୍ରେମ ସମ୍ପର୍କରେ। ସତରେ କଣ ସୌମ୍ୟ-ବିଦ୍ୟାଭାରତୀଙ୍କ ଭିତରେ ଥିଲା ପ୍ରେମ? ପ୍ରେମର କଣ ଏଭଳି ପରିଣତି? ଯଦି ନଥିଲା ପ୍ରଥମରୁ ଅଲଗା ନହେଇ ଉଭୟେ ଛଟପଟ ହେଉଥିଲେ କାହିଁକି? ଉଚ୍ଚପଦସ୍ତ ସରକାରୀ ଚାକିରି ଆଉ କ୍ୱାର୍ଟର୍ସ ଭିତରେ ସୌମ୍ୟ ଗୁମୁରି ଗୁମୁରି କାନ୍ଦୁଥିଲେ କାହିଁକି ଆଉ ସ୍ତ୍ରୀ ସହ୍ୟ କରିପାରୁଥିଲେ? ସେଇ ସରକାରୀ କ୍ୱାର୍ଟର୍ସରେ ହିଁ ସୌମ୍ୟଙ୍କ ଦେହରେ ନିଆଁ ଲଗାଇଲା କେଉଁ ପ୍ରକାର ‘ପ୍ରେମ’? ସୌମ୍ୟ ମା’ଙ୍କୁ ଜଣାଇଥିଲେ ନିଜ ଅନ୍ତଃବେଦନା କିନ୍ତୁ କୌଣସି ଆଇନଗତ ପଦକ୍ଷେପ ନେଉନଥିଲେ, କାରଣ ତାହା ତାଙ୍କର ପ୍ରେମ ଥିଲା? ବିଦ୍ୟାଭାରତୀ ଡାଏରୀରେ ପୃଷ୍ଠା ପୃଷ୍ଠା ଯାହା ସବୁ ଲେଖୁଥିଲେ ତାହା ପ୍ରେମରେ ତ ନୁହେଁ, କିନ୍ତୁ ଘୃଣାରେ ଜୁଡୁବୁଡ଼ୁ ହେଉଥିବା ଓ ଡିଭୋର୍ସ ଚାହୁଁଥିବା ବିଦ୍ୟାଭାରତୀ କେବଳ ଠାକୁରଙ୍କୁ କାମନା କରି ଚୁପ୍ ରହୁଥିଲେ କାହିଁକି? ଦୂରେଇ ଯାଉନଥିଲେ କାହିଁକି ସୌମ୍ୟଙ୍କ ନିକଟରୁ? କଣ ତାଙ୍କର ବି ରହିଥିଲା ପ୍ରେମ? ତେବେ ଇଏ କେଉଁଭଳି ପ୍ରେମ? ଏମିତି ସବୁ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଆସିବା ସ୍ୱାଭାବିକ । ଏଠାରେ ମନେରଖିବାକୁ ହେବ ଯେ- ନ୍ୟାୟର ନ୍ୟୁଜ କାହା ଆତ୍ମାକୁ ଶାନ୍ତି ଦିଏ ନା, ଏହା କେବଳ ସମାଜ ପାଇଁ ସାନ୍ତ୍ୱନାଟିଏ ଯେ ଦୋଷୀ ଦଣ୍ଡ ପାଇଲା? ଯିଏ ଆରପାରିକୁ ଚାଲିଗଲା ତାହା ପାଇଁ ଶାନ୍ତିର ଶବ୍ଦ ଆଉ କଣ? ଅନେକ ଆଶା ଆଉ ସ୍ୱପ୍ନ ସହ ମଣିଷଟିଏ ମଶାଣିରେ ମିଶିଯାଏ । ପାରିପାର୍ଶ୍ୱିକ ଗତିବିଧି ଉପରେ ନଜର ନରହିଲେ ହଠାତ୍ ଯେ କାହାକୁ ମୃତ୍ୟୁ କୋଳେଇ ନେଇପାରେ ଏକଥାକୁ ଅସ୍ୱୀକାର କରିହେବନି । ସତ କହିବାକୁ ଗଲେ ଏମିତି ଏକ ସମୟ ଆସିଯାଇଛି ଯେଉଁଠି କିଏ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ମରିଯାଉଛି ମାନବିକତା ଆଉ ମାନବୀୟ ମୂଲ୍ୟବୋଧର ସମ୍ପର୍କ । ଶ୍ରୀହୀନ ହୋଇ ପଡିଛି ଚିରନ୍ତନ ଏବଂ ଶାଶ୍ୱତ ପ୍ରେମର ସାମ୍ରାଜ୍ୟ । ମିଳିପାରୁନି ପାରିବାରିକ ସଂସ୍କାର ଆଉ ଛିଡ଼ି ଯାଉଛି ସାମାଜିକ ଶୃଙ୍ଖଳ । ବିଶୃଙ୍ଖଳ ଜୀବନ ଟାଣି ନେଉଛି ଅପରାଧିକ ପରିଧି ଭିତରକୁ । ସବୁଠି କେବଳ ଦେହର ଭୋକ ଆଉ କାମନାର ବାସନା । ସେ ଭିତରେ କେମିତି ଖୋଜି ପାଇବା ସେଇ ଅନାବିଳ ପ୍ରେମ? କାହିଁ ସେଇ ପ୍ରେମଟ୍ଟ ପ୍ରେମକୁ ଖୋଜା ଚାଲିଛି ହୃଦୟର ଅନ୍ତଃସ୍ୱରରେ ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!