ଦଶରଥପୁର/ମଙ୍ଗଳପୁର, (ବାଘୁଆବାର୍ତ୍ତା): ମଙ୍ଗଳପୁର ଥାନା ଇସ୍ମାଇଲପୁର ଗ୍ରାମର ସୁବାସ କୁଅଁର ଓରଫ ଅଟଳଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିଛି । ଅଟଳଙ୍କୁ ତାଙ୍କ ପତ୍ନୀ ମମତା କୁଅଁର ହତ୍ୟା କରିଥିବା ନିଜେ ସ୍ୱୀକାର କରିଛନ୍ତି । ଅଟଳ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାରୁ ତାଙ୍କୁ ହତ୍ୟା କରିଥିବା ମମତା ସ୍ୱୀକାର କରିବା ପରେ ପୁଲିସ ମଙ୍ଗଳପୁର ଥାନା କେସ୍ ନଂ. ୩୬୫/୨୧ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ରେ ଗୁରୁବାର ମମତାଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ମମତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ପୁଲିସ ତଦନ୍ତ ଉପରେ ମୃତ ଅଟଳଙ୍କ ଭାଇ ରଞ୍ଜନ କୁଅଁର ପ୍ରଶ୍ନ ଉଠାଇଛନ୍ତି । ପୁଲିସ ତଦନ୍ତ ଦିଗହରା ବୋଲି ରଞ୍ଜନ ଅଭିଯୋଗ କରିଛନ୍ତି । ମଙ୍ଗଳପୁର ଥାନା ଇସ୍ମାଇଲପୁର ଗ୍ରାମର ସୁବାସ କୁଅଁର ଓରଫ ଅଟଳ ଥାଲକୁଡ଼ି ପଞ୍ଚାୟତ ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଘର ଭଡ଼ା ନେଇ ରହୁଥିଲେ । ତଳ ମହଲାର ଗୋଟିଏ କୋଠରୀରେ ଅଟଳ, ପତ୍ନୀ ମମତା ଓ ପୁଅ ଓମ୍ ପ୍ରକାଶ ରହୁଥିବା ବେଳେ ଅନ୍ୟ କୋଠରୀରେ ଅଟଳଙ୍କ ଶାଳୀ ସଂଯୁକ୍ତା ବିଶ୍ୱାଳ ଓ ଶାଶୂ ଅରୁଣି ରାଉତ ରହୁଥିଲେ । ସୋମବାର ରାତି ପ୍ରାୟ ୧୨ଟା ସମୟରେ ଅଟଳଙ୍କ ବିକଟାଳ ଶବ୍ଦ ଶୁଣି ତାଙ୍କ ଶାଳୀ ଉଠିପଡ଼ିଥିଲେ । ଭଉଣୀ ଭିଣୋଇ ଶୋଇଥିବା ଘରୁ ଶବ୍ଦ ଆସୁଥିବା ଜାଣି ଡାକିଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ନଥିଲା । ଭୟଭୀତ ହୋଇ ସେ ଉପର ମହଲାରେ ରହୁଥିବା ଘର ମାଲିକଙ୍କୁ ଡାକିଥିଲେ । ଘର ମାଲିକ ଆସି ଡାକିବାର କିଛି ସମୟ ପରେ ମମତା କବାଟ ଖୋଲିଥିଲେ । ସେତେବେଳକୁ ଅଟଳ ବେଡ୍ ଉପରେ ଚିତ୍ ହୋଇ ପଡ଼ିଥିଲେ । ଅଟଳଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିବା ବେଳେ ମମତା ସାଙ୍ଗରେ ଯାଇ ନଥିଲେ । ଗୋଟିଏ ପଟରେ ଡାକ୍ତର ଅଟଳଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପଟରେ ମମତା ଘରେ ରହି ଘରକୁ ପାଣିରେ ଭଲ ଭାବେ ପରିଷ୍କାର କରିଥିଲେ । ଯାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା । ପ୍ରଥମ ଦିନରୁ ମମତା ହତ୍ୟାକାରୀ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା । ଯାହା ଫଳରେ ପୁଲିସ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇବା ପରେ ମମତାକୁ ନିଜ ଅକ୍ତିଆରକୁ ନେଇଥିଲା । ପୁଲିସ ଦୀର୍ଘ ୬୦ଘଣ୍ଟା ଜେରା କରିବା ପରେ ମମତା ନିଜ ଦୋଷ ସ୍ୱୀକାର କରିଥିଲେ । ଅଟଳଙ୍କୁ ଏକୁଟିଆ ହତ୍ୟା କରିଛନ୍ତି ବୋଲି ମମତା ପୁଲିସ ଆଗରେ ସ୍ୱୀକାର କରିବା ପରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର କୋଭିଡ୍ ଟେଷ୍ଟ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଚଳିତ ମାସ ୧୯ତାରିଖ ରାତି ପ୍ରାୟ ୧୦.୩୦ରେ ଅଟଳ ମଦ ପିଇ ଘରକୁ ଫେରିଥିଲେ । ଖାଇବାକୁ ମାଗିବାରୁ ପତ୍ନୀ ମମତା ଅଟଳଙ୍କୁ ରୁଟି, ଭଜା ଓ ସିମେଇ ଦେଇଥିଲେ । ଅଟଳ ଖାଇ ସାରିବା ପରେ ମମତା ଖାଇଥିଲେ । ଦୁହେଁ ଶୋଇବାକୁ ଯିବା ପରେ କବାଟ ବନ୍ଦ କରିଥିଲେ । ଅଟଳ ଶାରୀରିକ ସଂପର୍କ ରଖିବା ପାଇଁ ମମତାଙ୍କୁ କହିଥିଲେ । କିଛି ଦିନ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିବା ଏବଂ ଦେହ ଅସୁସ୍ଥ ଥିବାରୁ ମମତା ରାଜି ହୋଇନଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଅଟଳ ମମତାଙ୍କ ପେଟ ଉପରେ ବସି ପଡ଼ିବାରୁ ଯନ୍ତ୍ରଣା ସହି ନପାରି ମମତା ଅଟଳଙ୍କୁ ଧକ୍କା ମାରି ତଳକୁ ଠେଲି ଦେଇଥିଲେ । ଏଥିରେ ଅଟଳ ଉତ୍ତ୍ୟକ୍ତ ହୋଇ ମମତାଙ୍କୁ ମାଡ଼ ମାରିଥିଲେ । ମମତା ରାଗି ଯିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅଟଳ ତଳେ ପଡ଼ିଯିବା ପରେ ମମତା ଏକ ତକିଆକୁ ଅଟଳଙ୍କ ମୁହଁ ଉପରେ ରଖି ମାଡ଼ି ବସିଥିଲେ । ଜୀବନ ବଞ୍ଚାଇବାକୁ ଅଟଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । କିଛି ସମୟ ପରେ ଅଟଳ ତକିଆକୁ ବାହାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ମମତା ଛାଡ଼ି ନଥିଲେ । ମମତା ନିଜ ନଖ ଓ ମୋବାଇଲ୍ ଚାର୍ଜର ତାରରେ ଅଟଳଙ୍କ ବେକକୁ ଚିପିଦେବାରୁ ଘଟଣା ସ୍ଥଳରେ ଅଟଳଙ୍କର ମୃତ୍ୟୁ ହୋଇଥିଲା ।






