କେନ୍ଦୁଝର, (ବାଘୁଆବାର୍ତ୍ତା): ଗାଁ ମୁଣ୍ଡରୁ ୪ ବର୍ଷର ନିଖୋଜ ଶିଶୁକନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର। ଶିଶୁକନ୍ୟାକୁ କେହି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ସନ୍ଦେହ। କେନ୍ଦୁଝର ଜିଲ୍ଲା ସଦର ଥାନା ହଳଦିଆ ଗୁଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ସଦର ଥାନା ହଳଦିଆ ଗୁଣା ଗାଁର ରେଣ୍ଡ ମୁଣ୍ଡାଙ୍କ ୪ ବର୍ଷର ଶିଶୁ କନ୍ୟା ଗତ ୨୦ ତାରିଖ ଠାରୁ ନିଖୋଜ ଥିଲ। ଲକ୍ଷ୍ମୀପୂଜା ଅବସରରେ ଗାଁରେ ଝୁମର ନୃତ୍ୟ ଦେଖିବାକୁ ପରିବାର ସହ ଯାଇ ସେଠାରୁ ନିଖୋଜ ହୋଇଥିଲା ଶିଶୁ କନ୍ୟା। ଆଜି ଗାଁ ମୁଣ୍ଡ ଜଣଙ୍କ ବାଡ଼ିରୁ ଶିଶୁ କନ୍ୟାଟିର ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ଶିଶୁଟିର ଡ୍ରେସ୍ ମୃତଦେହ ପଡିଥିବା ସ୍ଥାନ ଠାରୁ କିଛି ଦୂରରେ ପଡିଥିବା ଦେଖିବାକୁ ମିଳିଛି। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଗାଁରେ ଏଭଳି ଏକ ଅମାନୁଷିକ ଘଟଣା ଘଟିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।






