ଆଠଗଡ଼, (ବାଘୁଆବାର୍ତ୍ତା): ବିକ୍ଷୋଭ ପ୍ରଦର୍ଶନ ବେଳେ କଟକ ଜିଲ୍ଲା ନରସିଂହପୁର ଥାନାରେ ଧଶେଇ ପଶିବା ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଜେପି ନେତା ବିଜୟ କୁମାର ଦଳବେହେରା, ତାଙ୍କ ଭାଇ ଓ ଜଣେ ସମର୍ଥକ। ଗୁରୁବାର ବିଳମ୍ବିତ ରାତିରେ ନରସିଂହପୁର ଥାନା ପୁଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁର ୩ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିଲା। ଏକ ଅପହରଣ ଓ ମାରଧାର ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଥିବା ବେଳେ ବିନା କାରଣରେ ସ୍ଥାନୀୟ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ପୁଲିସ୍ ସେମାନଙ୍କୁ ଗିରଫ କରିଥିବା ଅଭିଯୋଗରେ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ସେମାନେ ଥାନା ଗେଟ୍ରେ ତାଲା ପକାଇ ଦେଇଥିଲେ। ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଓ ଆନ୍ଦୋଳନକାରୀ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପୁଲିସ୍ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲା। ଲୋକେ ମଧ୍ୟ ପୁଲିସ୍ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ। ଏଥିରେ ୪ ଜଣ ପୁଲିସ୍ କର୍ମଚାରୀ ଓ ୩ ଜଣ ବିଜେପି କର୍ମୀ ଆହତ ହୋଇଥିଲେ। ୪ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ଜଣେ ହୋମଗାର୍ଡଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।






