ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମନୀଷ ଅନୁରାଗଙ୍କ ହତ୍ୟାକୁ ୨ ସପ୍ତାହ ପୁରିବ । ହତ୍ୟାର ବ୍ଲୁ ପ୍ରିଣ୍ଟ ବନାଯାଇଥିବା ‘ସାଉଥ୍ ସିଟି’ ହୋଟେଲରେ ଶେଷରେ କମିଶନରେଟ୍ ପୁଲିସ କାର୍ୟ୍ୟାନୁଷ୍ଠାନ ନେଇଛି । ରାଜଧାନୀ ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ତଥା କନଷ୍ଟେବଳ ପ୍ରସନ୍ନ ବେହେରା ନିଲମ୍ବିତ ହୋଇଛନ୍ତି । ପ୍ରସନ୍ନଙ୍କ ସହ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କୁ ମଧ୍ୟ ପୁଲିସ ଗିରଫ ରଖିଛି । ମାମଲାରେ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ମଧ୍ୟ ବଦଳି କରାଯାଇଛି । ପୁଲିସର ଏକ ଟିମ୍ ଶୁକ୍ରବାର ଅପରାହ୍ଣରେ ‘ସାଉଥ୍ ସିଟି’ ହୋଟେଲ ଥିବା ବାର୍ରେ ପୁଣି ଥରେ ଛାନ୍ଭିନ୍ କରିଥିଲା ବାର୍ରୁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କାର ନକଲି ଟଙ୍କା ମିଳିଥିଲା । ଏଥିରେ ବିଡ଼ା ବିଡ଼ା ୧୦, ୨୦, ୫୦, ୫୦୦ ଟଙ୍କିଆ ନୋଟ୍ ଥିଲା । ବାର୍ରୁ ୩୦ ପେଟି ବିଦେଶୀ ମଦ ଜବତ କରାଯାଇଛି । କମ୍ପ୍ୟୁଟର ହାର୍ଡ ଡିସ୍କ, ରେଜିଷ୍ଟ୍ରାର ଖାତା ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୁଲିସ୍ ସାଙ୍ଗରେ ନେଇଛି । ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବାର୍ର ଲାଇସେନ୍ସ ସେପ୍ଟେମ୍ବର ୩୦ ସୁଦ୍ଧା ସରିଯାଇଥିବା ଜଣା ପଡି଼ଛି । ବିନା ଲାଇସେନ୍ସ ସତ୍ତେ୍ୱ ବାର୍ରେ ଚୋରା ମଦ ବେପାର ଚଲାଉଥିବାରୁ ଅବକାରୀ ଆଇନ୍ ଅନୁସାରେ ୨ ଗିରଫ କରାଯାଇଛି।






