ବଲାଙ୍ଗୀର, (ବାଘୁଆବାର୍ତ୍ତା): ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କର୍ମଚାରୀ ତଥା ତାଙ୍କ ଡ୍ରାଇଭର ରାଧେ ଗିରଫ । ରାଧେଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି ବଲାଙ୍ଗୀର ପୋଲିସ । ତେବେ ଅନ୍ୟ ଦୁଇ ଜଣ ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ରାତ୍ର ଜଗୁଆଳୀ ଗୁପ୍ତେ ତାଣ୍ଡିକୁ ବଲାଙ୍ଗୀର ପୋଲିସ ରାଜ ସାକ୍ଷୀ କରିଥିବା ସୂତ୍ରରୁ ସୂଚନା ମିଳିଛି । ସେପଟେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗୀର ପୋଲିସ । ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗୀର ଏସପି ଘଟଣାର ତନାଘନା ଚଳାଇଛନ୍ତି । ଗୋବିନ୍ଦ ସାହୁକୁ ଜେରା କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ଡିଆଇଜି ଏସପି । ଘଟଣାର ଅଧିକ ତଦନ୍ତ ପାଇଁ ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ ଡିଆଇଜି ଓ ବଲାଙ୍ଗୀର ଏସପି । ସିନ୍ଧେକେଲା ଥାନାରେ କିଛି ସମୟ ରହି କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ମହାଲିଙ୍ଗ ଯାଇ ସ୍ପଟ୍ ଭେରିଫିକେସନ କରିବାକୁ ଯାଇଛନ୍ତି ।






