ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ାପାଟଣା ଶ୍ରୀ ଶ୍ରୀ ରଘୁନାଥଜୀଉ କ୍ଲବ ଆନୁକୁଲ୍ୟରେ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦଧିବାବନ ଜୀଉ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ୪୪ ତମ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ମ୍ୟାଚ ଦିବସରେ ଉଭୟ ଅଟ୍ରି କ୍ଲବ (ବାଘମାରି) ବନାମ ଢେଙ୍କାନାଳ କ୍ଲବ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଅଟ୍ରି (ବାଘମାରି) ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ, ଅଧିନାୟକଙ୍କ ନିଷ୍ପତିକୁ ସଫଳ କରି ୨୦ ଓଭରରେ ୯ ୱିକେଟ ବିନିମୟରେ ୨୬୯ ରନ ଏକ ବିଶାଳ ରନ ସ୍କୋର କରିଥିଲେ । ୨୭୦ ରନର ବିଜୟ ଲକ୍ଷ ନେଇ ଢେଙ୍କାନାଳ ଦଳ ପ୍ୟାଭିଲିୟନକୁ ଓହ୍ଲାଇଥିଲା । ବିଜୟ ଲକ୍ଷର ପିଛା କରି ଢେଙ୍କାନାଳ କ୍ରିକେଟ୍ କ୍ଲବ୍ ୨୦ ଓଭରରେ ୯ ଉଇକେଟ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲେ । ଆଜିର ମ୍ୟାଚରେ ଢେଙ୍କାନାଳକୁ ୨୮ ରନରେ ପରାସ୍ତ କରି ଅଟ୍ରି (ବାଘମାରି) ଚଳିତ ବର୍ଷର ଚାମ୍ପିଅନ୍ ହୋଇଛି । ଆଜିର ମ୍ୟାଚରେ ଅଟ୍ରି ଟିମର ସୁଶାନ୍ତ ସାହାଣୀ ୩୪ ରନ କରିବା ସହ ୩ଗୋଟି ମୂଲ୍ୟବାନ ୱିକେଲ୍ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ଭଲ ଖେଳ ପ୍ରଦର୍ଶନ କରିଥିବା ଢେଙ୍କାନାଳ କ୍ରିକେଟ୍ କ୍ଲବର ସୁଶାନ୍ତ ପଣ୍ଡାଙ୍କୁ ଚଳିତ ବର୍ଷର ମ୍ୟାନ୍ ଅଫ୍ ଟୁର୍ଣ୍ଣାମେଣ୍ଟ ଭାବରେ ପୁରସ୍କୃତ କରାଯାଇଥିଲା । ଆଜିର ଗ୍ରାଣ୍ଡ ଫାଇନାଲ ଖେଳରେ ବେଲପଡ଼ାପାଟଣା ଗ୍ରାମ୍ୟ କମିଟିର ସଭାପତି ରବିନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲାର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ଦଣ୍ଡଧର ଦାସ, ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ଆଡକଟା ପଞ୍ଚାୟତର ସମିତିସଭ୍ୟ ଚନ୍ଦ୍ରଶେଖର ସାହୁ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ଚାମ୍ପିଅନ ଟିମକୁ ଟ୍ରଫି ସହ ୨୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ରନର୍ସ ଅଫ ଟିମକୁ ଟ୍ରଫି ୨୦ହଜାର ଟଙ୍କା ପ୍ରଦାନ କରିଥିଲେ । ଆଜିର ଉଦଯାପନି ଦିବସର ଖେଳକୁ ଦକ୍ଷ ଖେଳପରିଚାଳକ ସମୀର କୁମାର ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।






