ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆମେରିକାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ବିମାନ ଜାପାନ ସମୁଦ୍ରକୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତଟରକ୍ଷୀ ବାହିନୀ ଅନୁସାରେ ଆଠ ବ୍ୟକ୍ତିଙ୍କୁ ନେଇ ଯାଉଥିବା ସୈନ୍ୟ ବିମାନ ୟୁଏସ୍ ଆସ୍ପ୍ରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ମୁଖପାତ୍ର କହିଛନ୍ତି, ‘ଆଜି ଅପରାହ୍ଣ ୨.୪୭ ମିନିଟ୍ରେ ସୂଚନା ମିଳିଥିଲା ଯେ ଆମେରିକା ସେନାର ଆସ୍ପ୍ରେ ୟାକୁଶିମା ଦ୍ୱୀପରେ ଦୁର୍ଘଟଣାର ଶିକାର ହୋଇଛି’। ଆମେରିକା ସେନାର ମୁଖପାତ୍ର କହିଛନ୍ତି, ‘ଯୁଦ୍ଧ ବିମାନରେ ଚାଳକ ଦଳର ଆଠ ଜଣ ସଦସ୍ୟ ଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ’। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅଗଷ୍ଟ ମାସରେ କାର୍ଲିଫର୍ନିଆରେ ଏକ ସୈନ୍ୟ ଶିବିର ନିକଟରେ ଆମେରିକୀୟ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ୟୁଏସ ମରୀନ କର୍ପ ଏହି ଖବରକୁ ସ୍ପଷ୍ଟ କରିଥିଲା । ଦୁର୍ଘଟଣା ପରେ ସର୍ଚ୍ଚ ଅପରେସନରେ ପାଇଲଟଙ୍କ ମୃତ ଦେହ ମିଳିଥିଲା ।






