ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ୪ଟି କେନ୍ଦ୍ରରେ ଏହି କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, କୋଭିଡ୍ ନୋଡାଲ୍ ଅଧିକାରୀ ଧନରାଜ୍ ଏଚ୍.ଡି, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ନୋଡାଲ୍ ଅଧିକାରୀ ଡ. ପ୍ରମିଳା ବରାଳ, ଏନ୍ଆରଏଚ୍ଏମ୍ ପରାମର୍ଶଦାତା ଅନନ୍ୟା ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଏହି ଟୀକା କରଣ କାର୍ଯ୍ୟର ଶୁଭାରମ୍ଭ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଟୀକା ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଗୈାରାଙ୍ଗ ଘଡ଼େଇ ପ୍ରଥମେ ଟୀକା ନେଇଛନ୍ତି । ସେ ଟୀକା ନେବା ପରେ ୩୦ ମିନିଟ୍ ବିଶ୍ରାମ ନେଇଛନ୍ତି । ଟୀକା ନେବା ପରେ ସେ ସମସ୍ତଙ୍କୁ ଟୀକା ନେବାକୁ ନିବେଦନ କରିଛନ୍ତି । ଜିଲ୍ଲାରେ ପ୍ରାଥମିକ ଭାବେ ଆଜି ୪ଟି କେନ୍ଦ୍ରରେ ୪ ଶହ ଟୀକା ଦିଆଯିବାକୁ ପୂର୍ବ ପ୍ରସ୍ତୁତି ହୋଇଥିବା ବେଳେ ୪ଟି କେନ୍ଦ୍ରରେ ମୋଟ ୨୬୩ଟି ଟୀକା ଦାନ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।





