ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭ ଶହ ମୁହାଁ । ପ୍ରତ୍ୟେକ ଦିନ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସମସ୍ତେ ପ୍ରାୟ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ମିଳୁଛି । ଏଭଳି ପ୍ରରିପ୍ରେକ୍ଷିରେ କୋଭିଡ୍ ନିୟମକୁ ଖାତିର ନକରି ମାଳ, ମାଳ ଟିୟୁସନ୍ ଚାଲିଥିବା ଅଭିଯୋଗ ହେଉଛି । ଅନ୍ୟ କୈାଣସି ଉପାନ୍ତ ଅଂଚଳ ନୁହେଁ, ଖୋଦ୍ ଜିଲ୍ଲା ସଦରମହକୁମା ଏବଂ ଆଖପାଖ ଅଂଚଳରେ ଏହା ବହୁଳ ପରିମାଣରେ ଚାଲିଥିବା ବେଳେ ପୁଲିସ ହାତବାନ୍ଧି ବସିଛି । ସହରରେ ଚାଲିଥିବା ଏକ ଘରୋଇ ଟିୟୁସନ୍କୁ ଦୁଇଦିନ ତଳେ ପୁଲିସ ବନ୍ଦ କରିବା ଏହାର ସଦ୍ୟତମ ଉଦାହରଣ ପାଲଟିଛି । ଏଭଳି ପରିସ୍ଥିତିରେ ନୟାଗଡ଼ ସହରର ଅନେକ ସ୍ଥାନ, ବ୍ଲକ ଅଂଚଳର ବାଲୁଗାଁ, ଗଦାଧରପ୍ରସାଦ, ଇଟାମାଟି ପ୍ରଭୃତି ଅଂଚଳରେ ଏହା ବେଶ ଜମୁଥିବା ବେଳେ ଗାଁ ଗହଳୀରେ ଏହାର ଗଣତି କରି ହେବ ନାହିଁ । ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ କଟକଣାର କିଛି ମାନେ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଆଲୋଚନା ହେଉଛି । ସେହିଭଳି ଭାବେ ନୂଆଗାଁ ବ୍ଲକର ମହୀପୁର ଏବଂ ଖଣ୍ଡୁଗାଁ ଗ୍ରାମରେ ଖୁଲମଖୋଲା ଟିୟୁସନ୍ ଚାଲିଥିବା ଅଭିଯୋଗ ହେଉଛି । ଓଡ଼ଗାଁ ଗ୍ରାମାଞ୍ଚଳ ଓ ଏନ୍ଏସିରେ ଲୁଚାଛପାରେ ଟିୟୁସନ୍ ଚାଲିଥିବା ବେଳେ ଦଶପଲ୍ଲା ସହରରେ ଖୋଲା ମେଲାରେ ପାହାନ୍ତି ପହରରେ ଟିୟୁସନ୍ ହେଉଥିବା ଅଭିଯୋଗ ହେଉଛି । ଏ ଉପରେ ଜିଲ୍ଲା ପ୍ରଶାସନ ନଜର ଦେଇ କୋଭିଡ୍ କଟକଣାକୁ କଡ଼ାକଡ଼ି କରିବା ସହ ବ୍ୟାପକ ଭାବେ ଚାଲିଥିବା ଟିୟୁସନ୍ ଉପରେ ରୋକ ଲଗାଇବାକୁ ଦାବି ହେଉଛି ।