ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ଜିଲ୍ଲାରେ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଶୁକ୍ରବାର ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟଠାରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଛନ୍ତି । ୪୦ ଶର୍ଯ୍ୟା ବିଶିଷ୍ଟ ଏହି କୋଭିଡ କେୟାର ସେଣ୍ଟର ଟି ଗୃହ ସଙ୍ଗରୋଧରେ ରହି ପାରୁନଥିବା ଲୋକଙ୍କୁ ସୁବିଧା ଯୋଗାଇବ ବୋଲି କୁହାଯାଇଛି । ଉଦ୍ଘାଟନ ଉତ୍ସବରେ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ , ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ , ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ,ଦଶପଲ୍ଲା ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ କର, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ରଶ୍ମି ରଂଜନ ଭଦ୍ରାଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ଏହି ସେଣ୍ଟର ଦଶପଲ୍ଲା ବାସୀଙ୍କୁ ମହାମାରୀ କରୋନା କବଳରୁ ଆରୋଗ୍ୟ କରାଇବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ ।






