ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ଜିଲ୍ଲାର କୋଭିଡ୍ ସଂପର୍କରେ ସମୀକ୍ଷା କରିଥିଲେ । ଚାନ୍ଦପୁର ଓ ଖଣ୍ଡପଡ଼ାଠାରେ ଥିବା କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ମୋବାଇଲ ମାଧ୍ୟମରେ ସିଧାସଳଖ କଥାବାର୍ତା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ଏହା ସହିତ ତାଙ୍କ ପରିବାରବର୍ଗଙ୍କ ସହିତ ଫୋନଯୋଗେ କଥାବାର୍ତା ହେବା ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି । ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ମଧ୍ୟ ରୋଗୀମାନଙ୍କ ସହିତ କଥାବାର୍ତ୍ତା କରିଥିବା ଜଣାଯାଇଛି । ପ୍ରତି ସପ୍ତାହରେ ସମସ୍ତ ମେଡିକାଲ ଅଫିସର, ଷ୍ଟାଫ୍ ଏବଂ କଣ୍ଟ୍ରୋଳ ରୁମ ଷ୍ଟାଫ୍ଙ୍କ ସହିତ ଭର୍ଚୁଆଲ ମୋଡ୍ରେ କୋଭିଡ୍ ପରିସ୍ଥିତି ସଂପର୍କରେ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରାଯାଉଛି । ଆଜି ମଧ୍ୟ ଜିଲ୍ଲାପାଳ ଡା. ଟୁଡୁ ଭର୍ଚୁଆଲ ମୋଡ୍ରେ ଯୋଗଦେଇ କୋଭିଡ୍ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିବା ଜଣାଯାଇଛି । କୋଭିଡ୍ ସଂକ୍ରମିତ ରୋଗୀମାନେ ଯେପରି ସଠିକ୍ ଭାବରେ ଚିକିତ୍ସା ସୁବିଧା ପାଇପାରିବେ ସେ ସଂପର୍କରେ ସମସ୍ତ ଡାକ୍ତରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।





