ଓଡଗାଁ (ବାଘୁଆବାର୍ତ୍ତା): ଓଡଗାଁରେ ଦିନକୁ ଦିନ କରୋନା ବ୍ୟାପିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଯେତେ ତାଗିଦ କଲେ ମଧ୍ୟ ଅମାନିଆ ମାନୁ ନାହାନ୍ତି । ମାଡ ଖାଉଛନ୍ତି, ଫାଇନ ଦେଉଛନ୍ତି ତଥାପି ଫରକ ପଡୁନି । ଆଜି ଏହି ନେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୋଭିଡ ସମୀକ୍ଷା କରିଛନ୍ତି । ଓଡଗାଁ ବ୍ଲକ ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ କୋଭିଡ ନିୟମକୁ କଡାକଡି କରାଯିବା ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ଲକ୍ଷଣଯୁକ୍ତ ରୋଗୀଙ୍କୁ ହୋମ ଆଇସୋଲେସନ ରେ ନରଖି ତୁରନ୍ତ କୋଭିଡ କେୟାର ସେଣ୍ଟରକୁ ପଠାଯିବା ପାଇଁ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ସ୍ଥାନୀୟ ନେତାଙ୍କୁ କହିଥିଲେ । ଏହି ବୈଠକରେ ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର, ଓଡଗାଁ ବିଡିଓ ଶ୍ୱାତିଲେଖା ଦାସ, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ୱାତି ମିଶ୍ର, ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା, ଜିଳ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଏନଏସି ବିଜେଡି ସଭାପତି ରବିନ୍ଦ୍ରନାଥ ପୃଷ୍ଟି, ବିଜେଡି ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ, ସମାଜସେବୀ ବିଜନ ପାଇକରାୟ, ଓଡଗାଁ ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ ବଳରାମ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।






