ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନା କାୟା ବିସ୍ତାରି ଚାଲିଥିବା ବେଳେ ରାଜ୍ୟ ସରକାର କଡ଼ା କଟକଣା କରିଛନ୍ତି । ଯେ କୌଣସି କାର୍ଯ୍ୟ କରିବାକୁ ହେଲେ କୋଭିଡ୍ ରିପୋର୍ଟ ଦେଖାଇ ଉକ୍ତ କାର୍ଯ୍ୟ କରିବାକୁ ରାଜ୍ୟ ସରକାର କଡ଼ା କଣକଣା ଜାରି କରିଛନ୍ତି । ସେଥିପାଇଁ ଆଜି ପଶ୍ଚିମବଙ୍ଗର ଦୁଇ ବର ଓ ବରଯାତ୍ରୀ ଅଧାବାଟରୁ ଫେରିଯାଇଥିବା ଜଣାପଡିଛି । ସୂଚନାନୁସାରେ, ପଶ୍ଚିମବଙ୍ଗ ଦାନ୍ତନ ଅଞ୍ଚଳର ଦେବାଶିଷ ଦେଙ୍କର ବାଲେଶ୍ୱରର ମୋତିଗଞ୍ଜ ଅଞ୍ଚଳକୁ ବିବାହ ପାଇଁ ଆସୁଥିଲେ । ସେହିପରି ବେଲଦା ଅଞ୍ଚଳର ଆବାସ ସେନାପତି ବିବାହ ପାଇଁ ଜଗତସିଂହପୁର ଜିଲ୍ଲା ପାରାଦ୍ୱିପ ଆସୁଥିଲେ । ଉଭୟଙ୍କ ସହ ମଧ୍ୟ ବରାଯାତ୍ରୀ ଓ ଆତ୍ମୀୟ ପରିବାର ଲୋକ ଆସୁଥିଲେ । ତେବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତର ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଠାରେ ବାଲେଶ୍ୱର ପୁଲିସ ଯାଞ୍ଚ କରୁଥିବା ବେଳେ ଉଭୟ ବରଙ୍କ ପାଖରେ କୋଭିଡ୍ ରିପୋର୍ଟ ନଥିବାରୁ ଫେରାଇ ଦେଇଥିଲେ । ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଆରପିପିସିଆର ରିପୋର୍ଟ ବାଧ୍ୟତା ମୂଳକ କରିଛନ୍ତି ରାଜ୍ୟ ସରକାର । ସେହିପରି ଯେଉଁମାନେ ଦୁଇଟି ଡୋଜ୍ କୋଭିଡ୍ ପ୍ରତିଷେଧକ ଟିକା ନେଇଥିବେ ସେମାନେ ଓଡ଼ିଶାକୁ ଆସି ପାରିବେ ବୋଲି ନିର୍ଦ୍ଦେଶ ଜାରି କରିଥିବା ବେଳେ ପଶ୍ଚିମବଙ୍ଗରୁ ଆସିଥିବା ଦୁଇଟି ବରଯାତ୍ରୀଙ୍କ ପାଖରେ ରିପୋର୍ଟ ନଥିବାରୁ ବିବାହ ପୂର୍ବରୁ ଫେରିଯିବାକୁ ପଡିଛି ।





