ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ କୋଭିଡ୍-୧୯ରେ ମୃତ୍ୟୁ ହୋଇଥିବା ସଂକ୍ରମିତ ମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୁରଣ ସହାୟତା ଦେବାକୁ ସିଧା ସିଧା ମନା କରିଦେଇଛି କେନ୍ଦ୍ର ସରକାର । କୋଭିଡ୍ ମୃତକଙ୍କ ପରିବାରକୁ ୪ଲକ୍ଷ ଦେଇ ହେବ ନାହିଁ ବୋଲି କେନ୍ଦ୍ର ସରକାର ସିଧା ସୁପ୍ରିମକୋର୍ଟକୁ ଶୁଣାଇ ଦେଇଛନ୍ତି । ସୂଚନାନୁସାରେ, କୋଭିଡ୍-୧୯ କ୍ଷତିପୁରଣକୁ ସଂପର୍କିତ ପିଟିସନ ଶୁଣାଣି ବେଳେ ସତ୍ୟପାଠ ଜରିଆରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି । ଏହାସହ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କ୍ଷତିପୁରଣ କେବଳ ପ୍ରାକୃତିକ ବିପର୍ଯ୍ୟୟ ଯେପରି ଭୂକମ୍ପ, ବନ୍ୟା ଇତ୍ୟାଦି ପାଇଁ କ୍ଷତିପୁରଣ ପ୍ରଯୁଜ୍ୟ ଅଟେ ବୋଲି କେନ୍ଦ୍ର ସରକାର କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୋଟିଏ ରୋଗକୁ କ୍ଷତିପୁରଣ ଦେବା ଓ ଅନ୍ୟ ରୋଗ ପାଇଁ କ୍ଷତିପୁରଣକୁ ଅସ୍ୱୀକାର କରିବା ଅନ୍ୟାୟ ହେବ । ସମସ୍ତ କୋଭିଡ୍ ମୃତକଙ୍କ ପରିବାରରକୁ କ୍ଷତି ପୁରଣ ପ୍ରଦାନ କରିବା ରାଜ୍ୟ ଗୁଡିକର ଆର୍ଥିକ କ୍ଷମତା ବାହାରେ । କରୋନା କାୟା ଓ ଏହାର ପ୍ରଭାବ ଯୋଗୁଁ ପ୍ରାକୃତିକ ବପର୍ଯ୍ୟୟ ପାଇଁ କ୍ଷତିପୁରଣ ଲାଗୁ କରିବା ଠିକ୍ ହେବ ନାହିଁ । କେନ୍ଦ୍ର ଓ ରାଜ୍ୟ ଗୁଡିକ ଟିକସ ରାଜସ୍ୱ ହ୍ରାସ ଓ ସ୍ୱାସ୍ଥ୍ୟ ଖର୍ଚ୍ଚରେ ବୃଦ୍ଧି ହେତୁ ଆର୍ଥିକ ଚାପରେ ଅଛି । ଏଭଳି ସମୟରେ କୋଭିଡ୍ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ମହାମାରୀ ମୁକାବିଲା କାମ ଓ ସ୍ୱାସ୍ଥ୍ୟ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ ବୋଲି କେନ୍ଦ୍ର ସରକାର ମତ ରଖିଛନ୍ତି । ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ କ୍ଷତି ପୁରଣ ଦେବା ନେଇ ଦାୟର ହୋଇଥିବା ପିଟିସନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ପିଟିସନରେ କେନ୍ଦ୍ର ଓ ରାଜ୍ୟଗୁଡିକୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ ସଂକ୍ରମଣରେ ପ୍ରାଣ ହରାଇବା ଲୋକଙ୍କ ପରିବାରକୁ ୪ଲକ୍ଷ କ୍ଷତିପୁରଣ ଦେବାକୁ ଦର୍ଶାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ଏହି ମାମଲା ସୋମବାର ଦିନ କରାଯିବ ।





