
ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମୁକାବିଲା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଖଣ୍ଡପଡ଼ା ସହରରେ ନୂତନକରି ଗଢ଼ି ଉଠିଥିବା କୋଭିଡ୍ କେୟାର୍ ସେଣ୍ଟର୍ର କାର୍ଯ୍ୟକ୍ଷମ ହୋଇଛି । ଗତକାଲିଠାରୁ ଏଠାରେ ଚିକିତ୍ସା ସେବା ଆରମ୍ଭ କରାଯାଇଛି । ଖଣ୍ଡପଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳ ଏବଂ ଖଣ୍ଡପଡ଼ା ଅଞ୍ଚଳକୁ ଆସିଥିବା ବାହାର ଫେରନ୍ତାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି । ୨୨ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଛି ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଶ୍ୱେତକୁମାର ମହାପାତ୍ରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଖଣ୍ଡପଡ଼ା କୋଭିଡ୍ କେୟାର୍ ସେଣ୍ଟରର କାର୍ଯ୍ୟକ୍ଷମ କରାଯାଇଛି । ଏଠାରେ ଉପସ୍ଥିତ ଅଭିଜ୍ଞ ଡାକ୍ତରୀଦଳ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କୋଭିଡ୍ କେୟାର ସେଣ୍ଟରର ଦାୟିତ୍ୱରେ ଥିବା ଡ. ପ୍ରଦୀପ କୁମାର ପାଇକରାୟ, ଡ. ଅରୁନ୍ଧତୀ ପରିଡାଙ୍କ ସମେତ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲାପାଳ ଡ. ଟୁଡୁ କୋଭିଡ୍ କେୟାର୍ ସେଣ୍ଟରର ସମସ୍ତ କକ୍ଷ,ଆଇସୋଲେସନ୍ ୱାର୍ଡ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ ଏବଂ ନୂତନ କରି କାର୍ଯ୍ୟାରମ୍ଭ କରିଥିବା ଏହି କୋଭିଡ୍ କେୟାର୍ ସେଣ୍ଟରର ସୁବିଧା ଅସୁବିଧା ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।







