ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ଅର୍ଡର ଦେଲେ ରାଜ୍ୟ ସରକାର। ୫ ହଜାର ସ୍ୟାଚେଟ୍ ଟୁ-ଡିଜି ମେଡିସିନ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧର ଅର୍ଡର ଦିଆଯାଇଥିବା ସେ କହିଛନ୍ତି। ୟା ମଧ୍ୟରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଓ ଅନ୍ୟତମ ସର୍ବବୃହତ ଫାର୍ମା କଂପାନୀ ଡକ୍ଟର ରେଡିସ୍ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି (୨ ଡିଜି)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ସ୍ୟାଚେଟ୍ ‘ଟୁ-ଡିଜି’ର ଦାମ୍ ୯୯୦ ଟଙ୍କା ରଖିଛି ଡକ୍ଟର ରେଡିସ୍ କଂପାନୀ। ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି। କରୋନା ବିରୋଧରେ ଏହି ଔଷଧ ଭଲ କାମ କରୁଥିବା ବେଳେ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ତିନି ପର୍ୟ୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି।






