ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନାର କରୁଣ କାହାଣୀ ଦିନକୁ ଦିନ ଦେଖିବାକୁ ମିଳୁଛି । ଅନେକ ଲୋକଙ୍କର ଜୀବନ ଓ ଜୀବିକାକୁ ବଦଳାଇ ଦେଇଛି । ଉଚ୍ଚ ଆଶା ଆକାଂକ୍ଷା ନେଇ ଦିଲ୍ଲୀ ଯାଇଥିଲେ ସେ । ଚାକିରି କରି ଦୁଇ ପଇସା ଅଧିକ ରୋଜଗାର କରି ସୁଖୀ ଜୀବନ ଯାପନ ପାଇଁ ସହରକୁ ଯାଇଥିଲେ । ହେଲେ ସ୍ୱପ୍ନ ସାକାର କରୁ କରୁ ସୁନାର ସଂସାରରେ ନିଆଁ ଲଗାଇଦେଲା ମହାମାରୀ କରୋନା । ଆଗକୁ ଚାଲିବାକୁ ଅନେକ ରାସ୍ତା ଥିବା ବେଳେ ଅଧାବାଟରୁ ଛଡେଇ ନେଲା ଭୂତାଣୁ । କରୋନାରେ ଦିଲ୍ଲୀରେ ଜଣେ ଓଡିଆ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଗିରିବନ୍ଧ ଗ୍ରାମର ଗୌରୀ ଶଙ୍କର ପରିଡା । ସେ ନୋଏଡ଼ାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ୩୮ ବର୍ଷୀୟ ଗୌରୀ ଶଙ୍କରଙ୍କ ସହିତ ନୋଏଡାରେ ପତ୍ନୀ ନିରୂପମା, ୩ ବର୍ଷୀୟ ଝିଅ ଏବଂ ତାଙ୍କ ସାନାଭାଇ ମିଶି ରହୁଥିଲେ । ସପ୍ତାହେ ହେବ ଗୌରୀ ଶଙ୍କରକୁ ଜ୍ୱର ହୋଇଥିଲା । ଟେଷ୍ଟ ପରେ କୋଭିଡ୍ ପଜିଟିଭ ଜଣାପଡ଼ିବା ପରେ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।





