ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନାକୁ ଜିତିଲେ ନବଜାତକ । କରୋନା ସଂକ୍ରମିତ ହେବା ପରେ ୨୫ ଦିନିଆ ଶିଶୁଟିକୁ କଳାହାଣ୍ଡିରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଏକ ଘରୋଇ ହସ୍ପିଟାଲରେ ନବଜାତକୁ ଭର୍ତି କରାଯିବା ପରେ ଆଇସୋଲେସନ ଆଇସିୟୁରେ ଭେଂଟିଲେଟରରେ ରଖାଯାଇଥିଲା । ପ୍ରଥମ ୧୦ ଦିନ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା । ଏପରିକି ଶିଶୁଟିକୁ ରେମଡିସିଭିର, ଷ୍ଟେରଏଡ ଓ ବିଭିନ୍ନ ଆଂଟିବାୟୋଟିକ ଦିଆଯାଇ ଚିକିତ୍ସା କରାଯାଇଥିଲା । ଡାକ୍ତରଖାନାରେ ୩ ସପ୍ତାହ ଧରି ଚିକିତ୍ସିତ ହେବା ପରେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛି । ଏବେ ତାକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । କରୋନାକୁ ନେଇ ବିଭିନ୍ନ ଦୁଃଖଦ ଖବର ଆସୁଥିବା ବେଳେ ନବ ଜାତକଟି କରୋନାକୁ ମାତ ଦେବା ଭଳି ଏକ ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ଶିଶୁଟିର ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଏହି ନବଜାତକଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଳାହାଣ୍ଡିରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ।






