ନୟାଗଡ଼, (ବାଘୁଆବାର୍ତ୍ତା): ବେଆଇନ୍ କୋରେକ୍ସ ବ୍ୟବସାୟ କରିବା ଉପରେ ରୋକ୍ ଲାଗିଥିବା ବେଳେ କେତେକ ଅସାଧୁ ବ୍ୟବସାୟୀ କୋରେକ୍ସ ବିକ୍ରି କରିଆସୁଥିଲେ । ତେବେ ଆଜି କୋରେକ୍ସ ଚୋରା ଚାଲାଣ ହେଉଥିବା ଖବର ପାଇ ଛକି ରହିଥିଲା ନୂଆଗାଁ ପୁଲିସ୍ । ୩୦୦ବୋତଲ କୋରେକ୍ସ ଜବତ କରିବା ସହ ୨ଜଣଙ୍କୁ ଗିରଫ୍ କରିଛି ପୁଲିସ୍ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ପୁଲିସ୍ କୋରେକ୍ସ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଆଜି ଖବର ପାଇ ନୂଆଗାଁ ଥାନା ଅଧରନରେ ସୋରଡ଼ା ଛକ ନିକଟରେ ଛକି ରହିଥିଲା । ଦୁଇଜଣ ବ୍ୟକ୍ତି ଗୋଟିଏ ମଟରସାଇକେଲରେ ଦ୍ରୁତଗତି ନୟାଗଡ଼ରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ବେଳେ ସୋରଡ଼ା ନିକଟରେ ନୂଆଗାଁ ପୁଲିସ୍ ଅଟକାଇ ଗାଡ଼ି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଗାଡ଼ି ଡିକିରୁ ୩୦୦ବୋତଲ କୋରେକ୍ସ ଓ ୧ଟି ମଟରସାଇକେଲ୍ ଜବତ କରିବା ସହ ଉଭୟଙ୍କୁ ଥାନାକୁ ଆଣିଥିଲା । ପଚାରାଉଚରା କରିବା ପରେ ଥାନାରେ କେସ୍ ନଂ- ୭୮/୨୦୨୧ରେ ମାମଲା ରୁଜୁ କରି ରଘୁ ସାହୁ ଓ ଆନନ୍ଦ ସେଠକୁ ଗିରଫ୍ କରିଛି । ରଘୁ ସାହୁର ଘର ସମ୍ବଲପୁର ହୋଇଥିବା ବେଳେ ଆନନ୍ଦ ସେଠ ଘର ବରଗଡ଼ ବୋଲି ଜଣାପଡିଛି । ଆସନ୍ତା କାଲି ଉଭୟ ରଘୁ ଓ ଆନନ୍ଦଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।





