ପାଟନା (ବାଘୁଆବାର୍ତ୍ତା): ଦେଶରେ କରୋନା ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ବେଳେ ଲୋକଙ୍କୁ କୋଭିଡ ନିୟମ ମାନିବାକୁ କୁହାଯାଉଛି । ସାଧାରଣ ଜନତା ଏହାର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ହେଲେ ଆଇନ ପ୍ରଣୟନକାରୀ ପ୍ରଭାବଶାଳୀ ଲୋକ ଯେତେବେଳ ନିୟମ ଭାଙ୍ଗୁଛନ୍ତି ସେତେବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜୁଛି । ଏମିତି ଏକ ଘଟଣା ଘଟିଛି ବିହାରର ନବଗାଛିଆରେ । ଏଠାରେ ନୀତିଶ କୁମାରଙ୍କର ଗୋପାଳପୁର ବିଧାୟକ ନରେନ୍ଦ୍ର କୁମାର ନିରଜ ଓରଫ ଗୋପାଳ ମଣ୍ଡଳ କଣ୍ଟେନମେଣ୍ଟ ଜୋନରୁ ନିଜ ଗାଡ଼ି କାଢ଼ିବା ପାଇଁ ପ୍ରଶାସନକୁ ଦାଦାଗିର ଦେଖାଇଥିଲେ । ଶେଷରେ ପ୍ରଶାସନ ବାଧ୍ୟ ହୋଇ ବ୍ୟାରିକେଡ ହଟାଇ ନିରଜଙ୍କୁ ଯିବାକୁ ଦେଇଥିଲା । ଘଟଣା ଅନୁସାରେ ନବଗାଛିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ବ୍ୟାରିକେଡ ଲଗାଯାଇ କଣ୍ଟେନମେଣ୍ଟ କରାଯାଇଥିଲା । ଦୈବାତ ବିଧାୟକଙ୍କ ଗାଡ଼ି ସେଇବାଟ ଦେଇ ଯାଉଥିବା ବେଳେ ରାସ୍ତାରେ ବ୍ୟାରିକେଡ ଦେଖି ତାଙ୍କୁ ସୁରକ୍ଷାକର୍ମୀଙ୍କୁ ବ୍ୟାରିକେଡ ହଟାଇବାକୁ କହିଥିଲେ । ନିଜେ ବିଧାୟକ ମଧ୍ୟ ଗାଡିରୁ ଓହ୍ଲାଇ କିଏ ବ୍ୟାରିକେଡ ଲଗାଇଛି ପ୍ରଶ୍ନ କରିବା ସହିତ ମୁତୟନ ପ୍ରଶାସନିକ ଅଧିକାରୀଙ୍କୁ ନାଲି ଆଖି ଦେଖାଇଥିଲେ । ଶେଷରେ ବ୍ୟାରିକେଡ ହଟାଇ ବିଧାୟକ ଗୋପାଳ ମଣ୍ଡଳକୁ ଯିବାକୁ ଦିଆଯାଇଥିଲା । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଲୋକମାନେ ମଧ୍ୟ ଏହାର ବିରୋଧ କରିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ନେତା ମନ୍ତ୍ରୀଙ୍କ ପାଇଁ ଆଉ ଗୋଟେ ନିୟମ କାହିଁକି ବୋଲି କହି ସ୍ଥାନୀୟ ଲୋକେ ଅସନ୍ତୋଷ କରିଛନ୍ତି । ଲୋକଙ୍କ ଅସନ୍ତୋଷ ପରେ ପୋଲିସ ପୁଣିଥରେ ବ୍ୟାରିକେଡ ଲଗାଇବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ।





