ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଂଚାୟତ ଗୋଡ଼ିପଡ଼ାକୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଥିବା ଜଣାଯାଇଛି । ଜିଲ୍ଲାପାଳ ଡ. ଟୁଡୁ ଏହି ଅଂଚଳକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଥିବା ବେଳେ ଏହାର ଆଖପାଖ ଅଂଚଳକୁ ବଫର ଜୋନ୍ ଘୋଷଣା କରିଛନ୍ତି । କୁରୁଡାଙ୍ଗ, ମଝିଆଖଣ୍ଡ, ଜାଗିରିଖଇରପଟି, ହରିଡ଼ାବନ୍ଧ, ପାଟେଳିସାହି ଏବଂ ଡିମିସରକୁ ବଫର ଜୋନ୍ ଘୋଷଣା କରିଛନ୍ତି । ଏହି ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧା ସୃଷ୍ଟି କରିଛି । ପ୍ରାଥମିକ ପର୍ଯ୍ୟାୟରେ ଏହାର ପ୍ରତିକାର ଭାବେ ଏହି ଅଂଚଳକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି । ଅନ୍ୟପକ୍ଷେ, ଖଣ୍ଡପଡ଼ା ବ୍ଲକ ଶିଖରପୁର ପଂଚାୟତରୁ ପୂର୍ବରୁ ଦୁଇ ଜଣ ଏବଂ ଏବେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ଏଥିସହିତ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ମଧ୍ୟ ଦେଖା ଦେଇଛି । ଯାହାକୁ ନେଇ ଶିଖରପୁର ସରପଂଚ ନବ କିଶୋର ସାହୁ ୫ ତାରିଖ ସକାଳ ୭ ଘଟିକାଠାରୁ ୭ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ।






