ନୟାଗଡ଼, (ବାଘୁଆବାର୍ତ୍ତା) : ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଆଜି ନୟାଗଡ଼ ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ମଣିପୁର, ମାଣିତ୍ରୀ ଏବଂ କରବର ଗ୍ରାମରେ ବନ୍ୟାର ଭୟାବହତାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଅନୁଧ୍ୟାନ କରିବା ସହ ଖଣ୍ଡପଡ଼ା ବ୍ଲକର ବୋଦସା ଏବଂ ବେଣାଗାଡ଼ିଆ, ଗଣିଆ ବ୍ଲକ ରାସଙ୍ଗ ପଂଚାୟତ ସମେତ ୪ଟି ପଂଚାୟତର ଅଂଚଳରେ ବ୍ୟାପକ ଫସଲ ହାନୀ ହୋଇଥିବା ଦେଖିଛନ୍ତି । ଏଥିସହିତ ବନ୍ୟାଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ କଂଗ୍ରେସ ଆଜି ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜିଲ୍ଲାରେ ୩ ହଜାର ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିବା କୁହାଯାଇଥିବା ବେଳେ ସରକାର ୭ ଦିନ ଭିତରେ ଆର୍ଥୀକ ସହାୟତା ଯୋଗାଇବା ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରିଥିବା ବେଳେ ବନ୍ୟାଞ୍ଚଳରେ ବିଦ୍ୟୁତ୍ ସେବାକୁ, ପାନୀୟ ଜଳ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି । ସରକାର ୨୫ ବର୍ଷ ମଧ୍ୟରେ ଲୋକଙ୍କ ମୁଳ ସମସ୍ୟାକୁ ଦୃଷ୍ଟି ଦେଉନଥିବାରୁ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି । ବନ୍ୟାଞ୍ଚଳରେ ମାଳବନ୍ଧ ନିର୍ମାଣ କରାନଯିବାରୁ ପ୍ରତ୍ୟେକ ବର୍ଷ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଧାୟକ ପାର୍ଥୀ ମନୋଜ ସାହୁ, କଂଗ୍ରେସ ନେତା ହୁସେନ ଖାଁଙ୍କ ସମେତ ଜିଲ୍ଲା କଂଗ୍ରେସ ଏବଂ ଯୁବ କଂଗ୍ରେସ ନେତାମାନେ ବନ୍ୟାଞ୍ଚଳ ଗସ୍ତ କରିଥିବା ଜଣାଯାଇଛି ।






