ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳରେ ଘଟିଥିବା ଏକ ବହୁ ଚର୍ଚ୍ଚିତ ହତ୍ୟା ଘଟଣାର ଆଜି ରାୟ ପ୍ରକାଶ ପାଇଛି । ପୁରୁଷୋତ୍ତମପୁର ଗାଁର କଂଗ୍ରେସ ନେତା ପ୍ରଫୁଲ ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ ମଣ୍ଡଳ, ନିତ୍ୟାନନ୍ଦ ସାହୁ, ଶିବ କର, ଆନନ୍ଦ ସାହୁ । ଅନ୍ୟ ୩ ଜଣ ଅଭିଯୁକ୍ତ ବସନ୍ତ ସାହୁ, ନିରଞ୍ଜନ ମଣ୍ଡଳ ଓ ରମାମଣୀ ଜେନାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୩ ମସିହା ଫେବୃୟାରୀ ୨ ତାରିଖ ସକାଳୁ ପୁରୁଷୋତ୍ତମପୁର ଗ୍ରାମର ଶ୍ରୀଯୁକ୍ତ ମହାନ୍ତି ତାଙ୍କ ମିଲକୁ ଆସୁଥିବା ସମୟରେ ଉକ୍ତ ଗ୍ରାମର ୯ ଜଣ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ । ହାତରେ ଫାର୍ସା, ଟାଙ୍ଗିଆ ଓ ଭୁଜାଲି ଧରି ହାଣି ଦେଇଥିଲେ । ପ୍ରଫୁଲଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡକୁ ନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏହାକୁ ନେଇ ପୁରୁଷୋତ୍ତମପୁର ଗ୍ରାମବାସୀ ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ । ଇଟାମାଟି ପୁଲିସ ୯ ଜଣଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାର୍ଜ୍ଜସିଟ ଦାଖଲ କରିଥିଲା । ଏହି ମାମଲାର ବିଚାର ନୟାଗଡ଼ ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଚାଲିଥିଲା । ବିଚାର ପ୍ରକିୟା ମଧ୍ୟରେ ୨ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ଲିଲି ସେନାପତି ଆଜି ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଅନ୍ୟ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅନୱାର ମଲ୍ଲିକ ପରିଚାଳନା କରୁଥିଲେ ।





