ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଓଡ଼ିଶାରେ ମଧ୍ୟ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ କଂଗ୍ରେସ ତା’ର ସଂଗଠନକୁ ସୁଦୃଢ଼ କରିବା ସହିତ ନୂଆ ରଣନୀତି ଆପଣାଇଛି । ତେବେ ଏହା ମଧ୍ୟରେ କିଛି ରାଜ୍ୟ ପାଇଁ ନୂଆ ପଦାଧିକାରୀଙ୍କ ନାମ ଘୋଷଣା କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) । ଏଆଇସିସି ପକ୍ଷରୁ ଓଡ଼ିଶା ଓ ନାଗାଲାଣ୍ଡ ପାଇଁ ରାଜ୍ୟ ଅଧ୍ୟକ୍ଷ, ରାଜ୍ୟ ସଂଯୋଜକ, ରାଜ୍ୟ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ପାଇଁ ୫ ଜଣ ଓ ନାଗାଲାଣ୍ଡ ପାଇଁ ୭ ଜଣଙ୍କ ନାମ ଘୋଷଣା କରାଯାଇଛି । ଏହି ଦୁଇ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟିର ସୋସିଆଲ ମିଡ଼ିଆ ବିଭାଗ ପାଇଁ ଏହି ଘୋଷଣା କରାଯାଇଛି । ଏହି ନିଯୁକ୍ତି ନେଇ ନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ଅମିୟ ପାଣ୍ଡବ ରାଜ୍ୟ ଅଧ୍ୟକ୍ଷ, ମନୀଶା ଦାସ ପଟ୍ଟନାୟକ ରାଜ୍ୟ ସଂଯୋଜକ, ସୁଶାନ୍ତ ମହାରଣା ରାଜ୍ୟ ସଂଯୋଜକ, ମୁକେଶ ଅଗରୱାଲ ରାଜ୍ୟ ସଂଯୋଜକ, ଅନାଶ ପ୍ରଧାନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ଅଧିକ ସିଟ୍ ଅକ୍ତିଆର କରିବା ଲକ୍ଷ୍ୟରେ କଂଗ୍ରେସ ହାଇକମାଣ୍ଡ ବିଭିନ୍ନ ରାଜ୍ୟ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ।






