କୃଷ୍ଣପ୍ରସାଦ, (ବାଘୁଆବାର୍ତ୍ତା): ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ରହ୍ମଗିରି ଗସ୍ତ। ଏହା ପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା କୃଷ୍ଣପ୍ରସାଦଗସ୍ତ କରି ଫେରିଛନ୍ତି । ମଖ୍ୟମନ୍ତ୍ରୀ କାର୍ୟ୍ୟକ୍ରମ ପୂର୍ବରୁ ଉପାଧ୍ୟକ୍ଷ କୃଷ୍ଣପ୍ରସାଦ ବ୍ଲକରେ ପହଞ୍ଚି ବିଡିଓ ମନୋଜ ନାୟକ ଓ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ନେତୃତ୍ୱରେ ଆୟାଜିତ ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ କାର୍ଡ ଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାଜନାରେ ନୂତନ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ସମସ୍ତେ ସହଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସାକାର କରିବାକୁ କହିଥିଲେ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ କୃଷ୍ଣପ୍ରସାଦ ବ୍ଲକର ୨୧ ପଞ୍ଚାୟତରେ ୧୯ ହଜାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି କହିଥିଲେ । ୪ ଦିନ ଧରି ବରିଷ୍ଠ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହଯୋଗରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି କହିଥିଲେ । ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତିଙ୍କୁ ପ୍ରତ୍ୟେକ ପଞ୍ଚାୟତର ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ । ପ୍ରତ୍ୟେକ ପଞ୍ଚାୟତର ଦୁଇଟି ସ୍କୁଲରେ କାର୍ଡ ବଣ୍ଟନ କରାଯିବା ବ୍ୟବସ୍ଥା କରାଯାଇଛି । ଦଳ ମତ ନିର୍ବିଶେଷରେ ସମସ୍ତ ପ୍ରତିନିଧି ସହଯୋଗ କରିବାକୁ କହିଥିଲେ । ବୈଠକ ପରେ ଉପାଧ୍ୟକ୍ଷ ବ୍ଲକ୍ ଓ ତହସିଲର ବିଭିନ୍ନ କାର୍ୟ୍ୟାଳୟ ବୁଲି ଦେଖିଥିଲେ । ବିପଦ ସଂକୁଳ ତହସିଲ୍ କାର୍ୟ୍ୟାଳୟକୁ ଦେଖି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୂତନ ଗୃହ ନିର୍ମାଣ ଓ କାର୍ୟ୍ୟାଳୟର ପୁନରୁଉଦ୍ଧାର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇବାକୁ ତହସିଲଦାର ଉଲ୍ଲାସ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପାଧ୍ୟକ୍ଷଙ୍କ ଗସ୍ତ ଖବର ପାଇ ଗାମୁଣ୍ଡିଆ ପଞ୍ଚାୟତର ବାସହରା ଅସହାୟ ଦମ୍ପତ୍ତି ତାରିଣୀ ସ୍ୱାଇଁ ଓ ବାସନ୍ତୀ ସ୍ୱାଇଁ ତହସିଲ୍ କାର୍ୟ୍ୟାଳୟ ସମ୍ମୁଖରେ ଆକୁଳ ନିବେଦନ କରିବା ପରେ ତୁରନ୍ତ ଅସହାୟ ପରିବାରକୁ ଥଇଥାନ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ତିତିପ ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର ଓ ଗାମୁଣ୍ଡିଆ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କାଶୀନାଥ ଜେନାଙ୍କୁ ଦାୟିତ୍ୱ ଦେଇଥିଲେ । ବ୍ଲକ୍ ଅଧ୍ୟକ୍ଷା ସୌଦାମିନୀ ମାନସିଂଙ୍କ ସହ ସ୍ମାର୍ଟ କାର୍ଡ ବଣ୍ଟନରେ ସହଯୋଗ କରିବା ପାଇଁ ଆଲାଚନା କରିଥିଲେ । ଥାନାଧିକାରୀ ଦିଲୀପ କୁମାର ସ୍ୱାଇଁ ଓ ଭାରପ୍ରାପ୍ତ ଅଧିକାରୀ ନାରାୟଣ ପ୍ରଧାନ କଡ଼ା ସୁରକ୍ଷା ଦେଇଥିଲେ । ଉପାଧ୍ୟକ୍ଷଙ୍କ ଗସ୍ତ ବେଳେ ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତି ପ୍ରଧାନ, ବିଜେଡି ବ୍ଲକ ସଭାପତି ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଯୁବ ସଂଗଠକ ହେମନ୍ତ କୁମାର ଜେନା, ଦିଲୀପ କୁମାର ରଣସିଂ, ପ୍ରଦୀପ କୁମାର ମାଝୀ , ନବଘନ ତରେଇ, ସମିତି ସଭ୍ୟ ବିଜୟ କୁମାର ତରେଇ ଓ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।






