ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ କୋମଣ୍ଡ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋମଣ୍ଡ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଲଳିତ ମୋହନ ମିଶ୍ରଙ୍କ ଆହ୍ୱାନକ୍ରମେ ଅଭିନବ ଶିକ୍ଷାଦାନ ପ୍ରଣାଳୀର ପ୍ରଦର୍ଶନ, ବିଦ୍ୟାଳୟଗୁଡିକୁ ଉତ୍ସାହିତ ଓ ପ୍ରଶଂସା କରିବା, ଛାତ୍ରଛାତ୍ରୀଙ୍କୁ ନିପୁଣ ଓଡିଶା କାର୍ଯ୍ୟକ୍ରମରେ ନିୟୋଜିତ କରିବା, ସର୍ବୋତ୍ତମ ଶିକ୍ଷଣ ଅଭ୍ୟାସର ଆଦାନପ୍ରଦାନ କରିବା ତଥା ସଚେତନତା ସୃଷ୍ଟି ସହ ଗୋଷ୍ଠୀସମ୍ପୃକ୍ତି ବୃଦ୍ଧି କରିବା ଉଦେଶ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ନିପୁଣ ଓଡିଶା ମେଳା ଆୟୋଜିତ ହୋଇଥିଲା l ଏହିକାର୍ଯ୍ୟକ୍ରମରେ କୋମଣ୍ଡ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଦୀପିକା ସେଠି ମୁଖ୍ୟ ଅତିଥି ରୂପେ ଯୋଗଦାନକରି ମେଳାର ଶୁଭ ଉଦଘାଟନ କରି ଭାଷା ଜ୍ଞାନ ବୃଦ୍ଧି ପାଇଁ ବର୍ଣ୍ଣବୋଧର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ମତ ଦେଇଥିଲେ l ସମାଜସେବୀ ସନ୍ତୋଷ ସେଠି ପଢିବାକୁ ଶିଖିବା, ନିଜ ମତାମତ ସଠିକଭାବେ ବ୍ୟକ୍ତ କରିବା, ପିଲାମାନଙ୍କୁ ବଜାର ସଉଦା କ୍ରୟ ବିକ୍ରୟର ଗୁରୁତ୍ୱ ଓ ଟଙ୍କା ପଇସାର ହିସାବ ବୁଝାଇଥିଲେ l ଉକ୍ତ ମେଳାରେ ସଂଯୋଜକ ମିଶ୍ରଙ୍କ ଆହ୍ୱାନକ୍ରମେ କ୍ଲଷ୍ଟର ଅନ୍ତର୍ଗତ ୧୧ଟି ସାକ୍ଷରତା ଓ ସଂଖ୍ୟଜ୍ଞାନ କାର୍ଯ୍ୟକ୍ରମ ଚାଲୁଥିବା ବିଦ୍ୟାଳୟର ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ସାକ୍ଷରତା,ସଂଖ୍ୟାଜ୍ଞାନ ଓ ସୃଜନାତ୍ମକକଳା ବିଷୟବସ୍ତୁ ଆଧାରିତ ସାକ୍ଷରତା ଷ୍ଟଲ, ସଂଖ୍ୟାଜ୍ଞାନ ଷ୍ଟଲ, ସୃଜନାତ୍ମକ କାର୍ଯ୍ୟକଳାପ ଷ୍ଟଲ ଓ ମତାମତ ଷ୍ଟଲ ଭାବରେ ୪ଗୋଟି ଷ୍ଟଲ ପ୍ରଦର୍ଶିତ କରାଯାଇ ଭାଷା, ଗଣିତ ଓ ସୃଜନାତ୍ମକ କଳାର ବୃଦ୍ଧି ନିମନ୍ତେ ସୁନ୍ଦର ସୁନ୍ଦର ଶିକ୍ଷଣସାମଗ୍ରୀଗୁଡିକ ପ୍ରଦର୍ଶିତ କରାଯାଇଥିଲା।

ସେଥିମଧ୍ୟରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଧନୁର୍ଜୟପୁରର ଉତ୍ସର୍ଗୀକୃତ ଶିକ୍ଷୟିତ୍ରୀ ଦମୟନ୍ତୀ ପାତ୍ରଙ୍କ ପ୍ରଦର୍ଶିତ ଷ୍ଟଲକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ସେ ଆଜିର ମେଳାରେ ପ୍ରଥମସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୋମଣ୍ଡର ଏଫ ଏଲ ଏନ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ନିପୁଣ ଓଡିଶା ସଂଗୀତକୁ ସମସ୍ତେ ପ୍ରଶଂସା କରିଥିଲେ l ମେଳାରେ ଭାଗନେଇଥିବା ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନେ ନିପୁଣ ଓଡିଶା ମିଶନ ଶପଥପାଠ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରମାଣପାତ୍ର ଓ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା।ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ନାୟକ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିବା ନିମିତ୍ତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ନାୟକ, ଏସ ଏମ ସି ଅଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ପରିଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଓ ଅତିଥିଗଣ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଉକ୍ତ ମେଳାର ଆୟୋଜନ ତଥା ସୁନ୍ଦର ପରିଚାଳନା ପାଇଁ ସଂଯୋଜକ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ ରାଧାଗୋବିନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





