ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁରଠାରେ ରହିଥିବା ଡାଇମଣ୍ଡ ରାଇସ ମିଲ ଏବଂ ଚୂଡ଼ା ମିଲ ସ୍ଥାନାନ୍ତର ପାଇଁ ଦାବି ହୋଇଛି । ନରେନ୍ଦ୍ରପୁର ଗ୍ରାମ ନିକଟରେ ସୁଶାନ୍ତ କୁମାର ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡାଙ୍କ ମାଲିକାନାରେ ଚୂଡ଼ା ମିଲ ଏବଂ ଡାଇମଣ୍ଡ ରାଇସ ମିଲ ରହିଛି । ଏହି ଚୂଡ଼ା ମିଲ ଓ ଧାନ ମିଲରୁ ନିର୍ଗତ ଦୂଷିତ ପାଉଁଶ, ଧଳି ଏବଂ ପାଣି ଆସି ପିଇବା ପାଣି ଏବଂ ପୋଖରୀରେ ମିଶୁଛି । ଏହି ପାଣି ବ୍ୟବହାର କରିବା ଦ୍ୱାରା ଝାଡ଼ା, ବାନ୍ତି ଏବଂ ଚର୍ମ ରୋଗ ବୃଦ୍ଧି ପାଉଛି । ମିଲରୁ ନିର୍ଗତ ଦୂଷିତ ପାଣି ପାଇଁ ମଶା, ମାଛି ସହ ଅନେକ ପ୍ରକାର ରୋଗ ସୃଷ୍ଟିକାରୀ କିଟ ଦେଖାଯାଉଛନ୍ତି । ଦିନରାତି ମିଲ ଚାଲିବା ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଆଖିରେ ଉଡ଼ୁଥିବା ପାଉଁଶ ଓ ଧୂଳି ପଡ଼ି ନାନାଦି ସମସ୍ୟା ସୃଷ୍ଟି କରୁଛି । ଯାହାକୁ ଦୃଷ୍ଟିରେ ରଖି ତୁରନ୍ତ ମିଲ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବନ୍ଦ କରିବା ପାଇଁ ଦାବି ହୋଇଛି । ଜିଲ୍ଲା ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି ।