ୱାଶିଂଟନ୍/ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୀମାରେ ଭାରତ ଏବଂ ଚୀନ୍ର ସୈନ୍ୟ ମୁତୟନ ବୃଦ୍ଧି ଆଗକୁ ବଡ଼ ବିବାଦର କାରଣ ହୋଇପାରେ । ଏଥିଯୋଗୁ ଦୁଇ ଆଣବିକ୍ତ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସଶସ୍ତ୍ର ଲଢ଼େଇ ଆଶଙ୍କା ରହିଛି । ଆଗକୁ ଚୀନ୍ ଓ ପାକିସ୍ତାନ ସହ ଭାରତର ତିକ୍ତତା ଅଧିକ ବୃଦ୍ଧି ପାଇପାରେ । ଚୀନ୍ ଓ ପାକିସ୍ତାନ ଉସୁକାଇଲେ ଭାରତ ସାମରିକ କାର୍ୟ୍ୟାନୁଷ୍ଠାନ ନେଇପାରେ ବୋଲି ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ରିପୋର୍ଟରେ କୁହାଯାଇଛି । ଭାରତରେ ପୂର୍ବ ସରକାରଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଏହି କାର୍ୟ୍ୟାନୁଷ୍ଠାନର ଆଶଙ୍କା ଅଧିକ ରହିଥିବା ଆମେରିକାର ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି । ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ଦି ଆନୁଆଲ୍ ଥ୍ରିଟ୍ ଆସେସ୍ମେଣ୍ଟ ରିପୋର୍ଟରେ ଭାରତ ଓ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ପୂର୍ବ ସଂଘର୍ଷ କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିରେ କୁହାଯାଇଛି, ଉଭୟ ଦେଶ ଆଲୋଚନା ଜରିଆରେ ସୀମା ବିବାଦକୁ କମ୍ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହା ସତ୍ତ୍ୱେ ଦୁଇ ରାଷ୍ଟ୍ର ଭିତରେ ତିକ୍ତତା ଜାରି ରହିବ । ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନ ଥିବା କହିଥିବାବେଳେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ୨୦୨୦ରେ ଲଦାଖର ଗଲୱାନ ଘାଟିରେ ଚୀନ୍ ଏବଂ ଭାରତୀୟ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ୍ ଓ ଭାରତ ଭିତରେ ବିବାଦ ଆମେରିକା ପାଇଁ ଚିନ୍ତାଜନକ । ତେଣୁ ବିବାଦର ସମାଧାନ ପାଇଁ ଆମେରିକା ହସ୍ତକ୍ଷେପ କରିବା ଉଚିତ। ସେହିପରି ରିପୋର୍ଟରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବା କଥା ଉଲ୍ଲେଖ କରାଯାଇଛି । ୨୦୨୧ରେ ନିୟନ୍ତ୍ରଣ ରେଖା ବା ଲାଇନ ଅଫ୍ କଣ୍ଟ୍ରୋଲ(ଏଲ୍ଓସି)ରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଭାରତ ଏବଂ ପାକ୍ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ, ଭାରତ ଓ ପାକ୍ ମଧ୍ୟରେ ତିକ୍ତତା ବୃଦ୍ଧି ବଡ଼ ଚିନ୍ତାର କାରଣ । ଦୁଇ ଦେଶ ଭିତରେ ବିବାଦ ଯୋଗୁ କାଶ୍ମୀରରେ ହିଂସା ବଢ଼ିଲେ କିମ୍ବା ଭାରତରେ ଆତଙ୍କବାଦୀ ଆକ୍ରମଣ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ । ଆମେରିକା ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସହ ଆତଙ୍କବାଦ ମୁକାବିଲା ନିମନ୍ତେ ଆଲୋଚନା ଏହା ଦର୍ଶାଉଛି ସେ ସେମାନେ ଆତଙ୍କବାଦ ଏବଂ ଉଗ୍ରବାଦ ସହ ଲଢ଼ିବା ପାଇଁ କେତେ ଗମ୍ଭୀର । ପାକିସ୍ତାନରେ ଆତଙ୍କବାଦ ସମସ୍ୟା ଦକ୍ଷିଣ ଏସିଆ ବାହାରକୁ ମଧ୍ୟ ଯାଇପାରେ । ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆରେ ଶାନ୍ତି ସ୍ଥାପନା ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରକାଶ ଥାଉ କି, ଏଲଏସି ନିକଟରେ ଭାରତ ଓ ଚୀନ୍ ନିଜ ସୈନ୍ୟ ଗତିବିଧି ବଢ଼ାଇବାରେ ଲାଗିଛନ୍ତି । ଚୀନ୍ ଏଲଏ୍ସି ନିକଟରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରିବା ସହ ଭାରତକୁ ଉସୁକାଇଲା ଭଳି କାର୍ୟ୍ୟକଳାପରେ ମାତିଛି । ବାରମ୍ବାର ସୀମା ଡେଇଁ ଭାରତ ସୀମା ଭିତରକୁ ପଶିବାକୁ ଉଦ୍ୟମ କରୁଛି । ଚୀନ୍ ଉପରେ ନଜର ରଖିବା ପାଇଁ ଭାରତ ମଧ୍ୟ ସୀମାରେ ସୈନ୍ୟ ମୁତୟନ ବଢ଼ାଇବା ସହ ପାଟ୍ରୋଲିଂ କଡ଼ାକଡ଼ି କରିଛି ।





