କଳାହାଣ୍ଡି,(ବାଘୁଆବାର୍ତ୍ତା): ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି। ହେଲେ କେତେକ କ୍ଷେତ୍ରରେ ଏହା କାର୍ୟ୍ୟକାରୀ ହୋଇ ପାରୁନଥିବା ପରିଲକ୍ଷିତ ହୋଇଛି। ବ୍ୟବସ୍ଥା ହେଉ କିମ୍ବା ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ସରକାରୀ ସାହାଯ୍ୟ ସହଯୋଗରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ। ଏମିତି ଏକ ଚିତ୍ର ଆସି ପହଞ୍ଚିଛି କୋକସରା ବ୍ଲକ ମାଝୀଗୁଡା ଗାଁର ଜୁନାପଡାରୁ। ଏହି ଗ୍ରାମର ବାସିନ୍ଦା କୃଷ୍ଣ ନାଏକ ଓ ଇନ୍ଦୁମତିଙ୍କ ତୃତୀୟ କନ୍ୟା ମନୀଷା ନାଏକ (୮) ଜନ୍ମରୁ ଭିନ୍ନକ୍ଷମ। କୃଷ୍ଣ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚାରିଝିଅଙ୍କ ମୁଖରେ ଆହାର ଦେବାପାଇଁ ସ୍ବାମୀସ୍ତ୍ରୀ ଦୁହେଁ କୁଳି ମଜୁରୀ କରିଥାନ୍ତି। ସମ୍ବଳ ଅଭାବରୁ ଦିବ୍ୟାଙ୍ଗ ଝିଅ ମନିଷାର ଚିକିତ୍ସା ହୋଇପାରୁନାହିଁ। ମନୀଷାକୁ ଭିନ୍ନକ୍ଷମ ଭତ୍ତା କିମ୍ବା ଅନ୍ୟ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ। ଏପଟେ ଭଙ୍ଗା ଦଦରା ଘରେ ବିତୁଛି ଛ’ ପ୍ରାଣୀ କୁଟୁମ୍ବଙ୍କ ଜୀବନ। ତେଣୁ ସେମାନଙ୍କ ଦୁଃଖ ବୁଝି ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅନେକ ଥର ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ପାଖରେ ନେହେରୁ ହୋଇଛନ୍ତି କୃଷ୍ଣ। କିନ୍ତୁ ସବୁ ନିଷ୍ଫଳ ହୋଇଛି। ସରକାରୀ ସହାୟତା କହିଲେ କେବଳ ଖାଦ୍ୟ ସୁରକ୍ଷା ଯୋଜନାର ୨୫କେଜି ଚାଉଳ। ତେଣୁ ଦିବ୍ୟାଙ୍ଗ ଝିଅକୁ ଭତ୍ତା ପ୍ରଦାନ ଓ ଆବଶ୍ୟକିୟ ଚିକିତ୍ସା ସହ ରହିବା ପାଇଁ ଏକ ଆବାସ ଗୃହ ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ଏହି ଦମ୍ପତି। ଏନେଇ କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରାଙ୍କ ମତାମତ ନେବାରୁ ଭିନ୍ନକ୍ଷମ ଝିଅ ମନୀଷାକୁ ଶିଘ୍ର ଭତ୍ତା ପ୍ରଦାନରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ସେହିପରି ବିଡ଼ିଓ ମନୀଷା ଦାସ କହିଛନ୍ତି ଯେ, ଆମ ପାଖରେ ଖବର ନଥିଲା। ପିଇଓଙ୍କୁ ପଠାଇ ଆବାସ ଘର ମିଳିବାରେ କ’ଣ ସମସ୍ୟା ରହିଛି ତାହା ତଦନ୍ତ କରାଯିବ। ଯଦି ସେ ଆବାସ ଘର ପାଇବାରେ ଯୋଗ୍ୟ ଅଛନ୍ତି ତେବେ ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ବିଡ଼ିଓ ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି।





