ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ସ୍ଥାନୀୟ ମା’ ନାରାୟଣୀ ଶକ୍ତିପୀଠରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବିବାହ ଭୋଜିର ପ୍ରସ୍ତୁତି ଚାଲିଥିଲା। ମଙ୍ଗଳବାର ତହସିଲଦାର ରାଜକିଶୋର ପଟ୍ଟନାୟକ ଚଢ଼ଉ କରିଥିଲେ। ପ୍ରାଶାସନିକ ଅଧିକାରୀମାନେ ସେଠାରେ କୌଣସି ସାଧାରଣ ବିବାହ ନୁହେଁ, ବରଂ ବାଲ୍ୟବିବାହ ହେଉଥିବା ଜାଣିବାକୁ ପାଇଥିଲେ। ଅନୁସନ୍ଧାନରୁ କନ୍ୟାର ବୟସ ୧୭ ବର୍ଷ ବୋଲି ଜଣାପଡିବା ପରେ ତୁରନ୍ତ ବିବାହ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରି ଚାଇଲ୍ଡ଼ ଲାଇନ୍କୁ ହସ୍ତାନ୍ତର କରାଯାଇ ଥିଲା। କୋଭିଡ୍ ନିୟମ ଉଲ୍ଲଂଘନ କରି ପ୍ରାୟ ୫୦୦ ଲୋକଙ୍କ ପାଇଁ ଭୋଜି ଆୟୋଜନ କରାଯାଇଥିବାରୁ ୯ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରିଥିଲେ ପ୍ରଶାସନିକ ଅଧିକାରୀଗଣ। ପୁରୋହିତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବରକୁ ପୁଲିସ ନିଜ ହେପାଜତକୁ ନେଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋପୀନାଥପୁରର ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଅଞ୍ଚଳର ଜଣେ ନାବାଳିକାଙ୍କ ବିବାହ ହେଉଥିଲା।





